କଂଗ୍ରେସକୁ ଡବଲ ଝଟକା: ନିର୍ବାଚନ ଆୟୋଗ ପରେ ସୁପ୍ରିମକୋର୍ଟରେ ବି ନିରାଶ

ଇଭିଏମ ଟ୍ୟାମ୍ପରିଂ ଅଭିଯୋଗର କୌଣସି ଯଥାର୍ଥତା ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଡବଲ ଝଟକା ଲାଗିଛି । ଇଭିଏମ୍‌ ଟ୍ୟାମ୍ପରିଂ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କଠାରୁ ନିରାଶ ହେବା ପରେ ସୁପ୍ରିମ କୋର୍ଟରୁ ମଧ୍ୟ ଖାଲି ହାତରେ ଫେରିଛି ଦଳ ।

ଗୁୁଜୁରାଟ ନିର୍ବାଚନରେ ବ୍ୟବହୃତ ଇଭିଏମଗୁଡିକ ଟ୍ୟାମ୍ପରିଂ ହୋଇଥିବା କଂଗ୍ରେସ ଦଳ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା । କିନ୍ତୁ ଆୟୋଗ ଏହାକୁ ଗ୍ରହଣ ନ କରିବାରୁ ଗୁଜୁରାଟ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା । ସଂଦେହ ମୋଚନ ପାଇଁ ଅତି କମରେ ୨୫ ପ୍ରତିଶତ ଇଭିଏମ ସହ ଭିଭିପ୍ୟାଟ୍‌ରୁ ବାହାରି ଥିବା କାଗଜ ସହ ମିଳାଯିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ କୋର୍ଟଙ୍କୁ ଅନୁରୋଧ କରିଥିଲା । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

କଂଗ୍ରେସର ଏହି ଅଭିଯୋଗରେ କୌଣସି ଯଥାର୍ଥତା ନାହିଁ, ବରଂ ଦଳ ନିର୍ବାଚନ ସଂସ୍କାର ଲାଗି ଏକ ରିଟ୍‌ ପିଟିସନ ଦାଏର କରୁ ବୋଲି କୋର୍ଟ କହିଛନ୍ତି । ସର୍ବୋଚ୍ଚ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ରାଜନୈତିକ ଦଳର ସଂଦେହ ମୋଚନ ଲାଗି ନିର୍ବାଚନ ଆୟୋଗର କ୍ଷମତାରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

ଏହା ପୂର୍ବରୁ ଗତ କାଲି କଂଗ୍ରେସ ଦଳ ଅଭିଯୋଗ କରିଥିଲା ଯେ ନିର୍ବାଚନ ଆୟୋଗ ବିଜେପିର ଏକ ପୋଷା କଣ୍ଢେଇ ପରି କାମ କରୁଛି । ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ରୋଡଶୋ କରୁଛନ୍ତି ମାତ୍ର ଆୟୋଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୂର୍ଭାଗ୍ୟଜନକ ।
ଅପରପକ୍ଷରେ ବିଜେପି କହିଛି ଯେ ପରାଜୟ ସୁନିଶ୍ଚିତ ବୋଲି ଜାଣିବା ପରେ କଂଗ୍ରେସ ଦଳ ଏସବୁ ବାହାନା କରୁଛି । ସେମାନେ ଇଭିଏମ୍‌ ପଛରେ ଲୁଚିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ସଂବିତ ପାତ୍ର ।

ସମ୍ବନ୍ଧିତ ଖବର