ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଚାରପତିମାନଙ୍କ ମୌଖିକ ମନ୍ତବ୍ୟ ‘ରିପୋର୍ଟିଙ୍ଗ୍‌’ କରିବାରୁ ଗଣମାଧ୍ୟମକୁ କ୍ଷାନ୍ତ କରାଯାଉ ବୋଲି ଭାରତର ନିର୍ବାଚନ କମିସନ୍‌ କରିଥିବା ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

ମାଡ୍ରାସ୍‌ ହାଇକୋର୍ଟଙ୍କ ‘ନକାରାତ୍ମକ’ ମନ୍ତବ୍ୟ ବିରୋଧରେ ନିର୍ବାଚନ କମିସନ୍‌ କରିଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ଦେଇ କହିଛନ୍ତି, ଅଦାଲତର ବିଚାରଧାରା ‘ରିପୋର୍ଟିଙ୍ଗ୍‌’ କରିବାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ। ଏହା ହେଉଛି ବାକ୍‌ ସ୍ବାଧୀନତା ଏବଂ ମତ ପରିପ୍ରକାଶର ଅବିଚ୍ଛେଦ୍ୟ ଅଂଶ।

ସ୍ମରଣଯୋଗ୍ୟ, ଦେଶରେ କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣ ଲାଗି ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିସନ୍‌କୁ ଦାୟୀ କରି କହିଥିଲେ ଯେ, କମିସନ୍‌ର କର୍ମଚାରୀଙ୍କ ବିରୋଧରେ ‘ନରହତ୍ୟା’ ଅଭିଯୋଗ ଅଣାଯିବା ଉଚିତ। ଅଦାଲତଙ୍କ ଏଭଳି ମନ୍ତବ୍ୟକୁ ଚାଲେଞ୍ଜ୍‌ କରି ନିର୍ବାଚନ କମିସନ୍ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Image Courtesy of New Indian Express

ଆଜିର ରାୟରେ ସୁପ୍ରିମ୍‌ କହିଛନ୍ତି ଯେ, ‘ରିପୋର୍ଟିଙ୍ଗ୍’ କରିବାରୁ ଅଦାଲତ ଗଣମାଧ୍ୟମକୁ ନିବୃତ୍ତ କରି ପାରିବ ନାହିଁ। ପ୍ରସଙ୍ଗକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ସୁପ୍ରିମ୍‌ କୋର୍ଟ ପୁଣି କହିଛନ୍ତି ଯେ, ମାଡ୍ରାସ୍‌ ହାଇକୋର୍ଟଙ୍କ ଉପରୋକ୍ତ ମନ୍ତବ୍ୟ ତାଙ୍କ (ମାଡ୍ରାସ୍‌ ହାଇକୋର୍ଟ) ରାୟର ଅଂଶବିଶେଷ ନୁହେଁ।

ସମ୍ପ୍ରତି ଲୋକେ ‘ଡିଜିଟାଲ୍‌’ ମାଧ୍ୟମ ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ସୂଚନା ପାଇଁ ଇଣ୍ଟର୍‌ନେଟ୍‌ରେ ସର୍ଚ କରୁଛନ୍ତି। ବିଚାରଧାରା ଉପରେ ରିପୋର୍ଟିଙ୍ଗ୍‌ କରିବାରୁ ଏହି ନୂତନ ମାଧ୍ୟମକୁ ବାଧା ଦେବାଦ୍ବାରା କିଛି ଲାଭ ହେବ ନାହିଁ। ଅଭିଯୋଗ କରିବା ଅପେକ୍ଷା ସାମ୍ବିଧାନିକ ସଂସ୍ଥାମାନେ ନିଜେ ଏ ସଂକ୍ରାନ୍ତରେ ବହୁ କିଛି କରିପାରିବେ।

ସମ୍ବନ୍ଧିତ ଖବର