‘ନିର୍ଭୟା’ ଅପରାଧୀଙ୍କ ମୁତ୍ୟୁ ଦଣ୍ଡାଦେଶକୁ ୨ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଆଗତ ଅବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ‘ନିର୍ଭୟା’ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ମୁତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ଅପରାଧୀମାନଙ୍କର ଦଣ୍ଡାଦେଶକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ଯାଚିକାକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି। ଆଇନ୍‌ଜୀବୀ ଆଲ୍କଖ ଆଲୋକ ଶ୍ରୀବାସ୍ତବ ସୁପ୍ରିମ୍‌ କୋର୍ଟରେ ଏହି ଯାଚିକା ଆଗତ କରି ଘଟଣାରେ ସଂପୃକ୍ତ- ମୁକେଶ, ପଓ୍ଵନ ଗୁପ୍ତା, ଭିନୟ ଶର୍ମା ଓ ଅକ୍ଷୟ- ଚାରି ଅପରାଧୀଙ୍କ ଦଣ୍ଡାଦେଶକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ।

ଆଗତ କରିଥିବା ଏହି ଯାଚିକାରେ ଆଇନଜୀବୀ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ ଏହି ଅପରାଧୀମାନେ ସେମାନଙ୍କ ବିରୋଧରେ ହୋଇଥିବା ଦଣ୍ଡାଦେଶର ପୁନଃ ସମୀକ୍ଷା ପାଇଁ କରିଥିବା ଆବେଦନକୁ ଅଦାଲତ ଖାରଜ କରିବା ପରେ ଇତିମଧ୍ୟରେ ଦୀର୍ଘ ସାଢ଼େ ଚାରି ମାସରୁ ଅଧିକ ସମୟ ଅତିବାହିତ ହୋଇ ସାରିଥିଲେ ସୁଦ୍ଧା ସେମାନଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଜଘନ୍ୟ ଅପରାଧରେ ସଂପୃକ୍ତ ଅପରାଧୀମାନେ ମୁତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହେବାପରେ, ସେମାନଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏ ପ୍ରକାରର ଅହେତୁକ ବିଳମ୍ବ ଏକ ଖରାପ ପରମ୍ପରା ସୃଷ୍ଟି କରୁଛି। ଏବଂ ଏହି କାରଣରୁ ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏପ୍ରକାରର ଅହେତୁକ ବିଳମ୍ବ ଅନ୍ୟ ଅପରାଧୀମାନଙ୍କୁ ଏଧରଣର ଅପରାଧରୁ ନିବୃତ୍ତ ରହିବା ପାଇଁ ଭୟଭୀତ ମଧ୍ୟ କରାଇପାରୁ ନାହିଁ ବୋଲି ଆଇନ୍‌ଜୀବୀ ଶ୍ରୀବାସ୍ତବ ଆଗତ ଯାଚିକାରେ ଦର୍ଶାଇ ଥିଲେ। ତେବେ, ସୁପ୍ରିମ୍‌ କୋର୍ଟ ଏହି ଯାଚିକାକୁ ଶୁଣାଣି ପାଇଁ ଗ୍ରହଣ କରିବା ପୂର୍ବରୁ ଖାରଜ କରି ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଗତ ୨୦୧୨ ଡିସେମ୍ବର ୧୬ ତାରିଖ ମଧ୍ୟରାତ୍ରୀରେ ଦକ୍ଷିଣ ଦିଲ୍ଲୀରେ ଜନୈକା ୨୩ ବର୍ଷୀୟା ପାରା- ମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଏହି ୪ ଜଣ ଅପରାଧୀ ଏକ ଚଳନ୍ତା ବସ୍‌ ମଧ୍ୟରେ ଗଣଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରି ରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ସେତେବେଳେ ଏହି ଜଘନ୍ୟ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଘଟଣାରେ ସଂପୃକ୍ତ ଏହି ୪ ଅପରାଧୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ମୁତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର