କୋଲକାତା: ୩ଦିନ ତଳେ କୋଲକାତା ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତଦନ୍ତ ନେଇ କୋଲକାତା ହାଇକୋର୍ଟ ସିବିଆଇକୁ ଦାୟିତ୍ବ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହାଇକୋର୍ଟର ରାୟକୁ ବିରୋଧ କରି ସନ୍ଦୀପ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । 

Advertisment

ସୁପ୍ରିମକୋର୍ଟରେ ଆବେଦନ କରି ଘୋଷ ଜଣାଇଥିଲେ ଯେ, ମୁଁ ତଦନ୍ତକୁ ବିରୋଧ କରୁନାହିଁ। କିନ୍ତୁ ଦୁର୍ନୀତି ମାମଲା ସହ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ଯୋଡ଼ିବା ବେଆଇନ । ଏହା ସହ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲିକତା ହାଇକୋର୍ଟ ମୋର ପକ୍ଷ ଶୁଣି ନଥିଲେ । ମୁଁ ଚାହୁଛି ଯେ,  ଦୁର୍ନୀତି ଓ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ନମିଶାଇ ଅଲଗା ଭାବେ ତଦନ୍ତ କରାଯାଉ ।

ଏହି ଆବେଦର ଶୁଣାଣି ବେଳେ ମୁଖ୍ୟ ବିଚରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, କିପରି ଅନୁସନ୍ଧାନ କରାଯିବା ଉଚିତ୍, ଆମେ ତାହା ସିବିଆଇକୁ କହିବୁ ନାହିଁ  । କଲିକତା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଆଧାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତୁମର ପକ୍ଷ ଶୁଣିବା ଜରୁରୀ ନୁହେଁ । "

ପୂର୍ବରୁ ଆଇଏମ୍‌ଏ ଘୋଷଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲା। ଆଇଏମ୍‌ଏ ଜାତୀୟ ସଭାପତି ଡାକ୍ତର ଆର୍‌ ଭି ଅଶୋକନ୍‌ଙ୍କ ଦ୍ବାରା ଗଠିତ ଶୃଙ୍ଖଳାଗତ କମିଟି ଦ୍ବାରା ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା।