ଅଚଳ ନୋଟ ବଦଳ ଆବେଦନର ବିଚାର ସାମ୍ବିଧାନିକ ଖଣ୍ଡପୀଠରେ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରାୟନ ଯୋଗୁଁ ଅଚଳ ହୋଇଯାଇଥିବା ପୁରୁଣା ୫୦୦ ଏବଂ ୧୦୦୦ଟଙ୍କିଆ ନୋଟକୁ ବଦଳ କରିବା ଲାଗି ଶେଷ ସୁଯୋଗ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରୁ ଆସିଥିବା ୧୪ଟି ଆବେଦନର ଏକକାଳୀନ ଶୁଣାଣି ଆଜି ହୋଇଥିଲା। ଏସବୁ ମାମଲାର ଶୁଣାଣି କରି ମୁଖ୍ୟବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ଏ.ଏମ୍‌ ଖାନଓ୍ଵିଲକର ଏବଂ ଡି.ଓ୍ଵାଇ. ଚନ୍ଦ୍ରଚୁଡଙ୍କ ଖଣ୍ଡପୀଠ କହିଛନ୍ତି କି ଏହି ମାମଲାର ଚୂଡାନ୍ତ ବିଚାର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦ୍ୱାରା କରାଯିବ।

ରିଜର୍ଭ ବ୍ୟାଙ୍କଙ୍କ ଦ୍ୱାରା ପ୍ରଦତ୍ତ ନୋଟ ବଦଳ ସମୟସୀମା ମଧ୍ୟରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆକୁ ବଦଳ କରିପାରି ନଥିବା ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ କି ନାହିଁ ତାହା ସାମ୍ବିଧାନିକ ଖଣ୍ଡପୀଠ ବିଚାର କରିବେ।

ଆବେଦନକାରୀଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ଆଇନଜୀବୀ ପ୍ରଣବ ସଚ୍ଚଦେବା ଯୁକ୍ତି ଉପସ୍ଥାପନ କରି କହିଥିଲେ କି ଆମର କଷ୍ଟ ଉପାର୍ଜିତ ଟଙ୍କାକୁ ଆଇନର ପ୍ରକୃଷ୍ଟ ପ୍ରକ୍ରିୟା ଅନୁସରଣ କର ନଯାଇ ଏବଂ ନ୍ୟାୟୋଚିତ ସୁଯୋଗ ଦିଆ ନଯାଇ ଅଚଳ କରି ଦିଆଯାଇଛି। ଏ ଦୃଷ୍ଟିରୁ ଆମକୁ ପୁରୁଣା ନୋଟ ବଦଳ ଲାଗି ସୁଯୋଗ ମିଳିବା ଉଚିତ।

ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଅବଗତ ହେବା ପରେ ସାମ୍ବିଧାନିକ ଖଣ୍ଡପୀଠ ଗଠନର ପ୍ରକ୍ରିୟାକୁ ତ୍ୱରାନିତ କରିବାକୁ ସେ ପ୍ରାର୍ଥନା କରିଥିଲେ।

ଉଲ୍ଲେଖଯୋଗ୍ୟ କି ୨୦୧୬ ମସିହା ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ବିମୁଦ୍ରାୟନ ଘୋଷଣା କରି ୫୦୦ ଓ ୧୦୦୦ଟଙ୍କା ନୋଟକୁ ଅଚଳ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର