ବାବ୍ରି ମସ୍‌ଜିଦ୍‌ ଭଙ୍ଗା ଘଟଣାରେ କଲ୍ୟାଣ ସିଂହ ଓ ଅନ୍ୟମାନଙ୍କ ଉପରୁ ଅଦାଲତ ଅବମାନନା ମାମଲା ଉଠାଇ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆବେଦନକାରୀଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ଆଜି ସୁପ୍ରିମ୍‌ କୋର୍ଟ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ କଲ୍ୟାଣ ସିଂହଙ୍କ ସମ୍ପୃକ୍ତି ଥିବା ଅଦାଲତ ଅବମାନନା ମାମଲାକୁ ବନ୍ଦ କରି ଦେଇଛନ୍ତି।

ସମୟ ଅତିକ୍ରାନ୍ତ କରିଯାଇଥିବା ଏବଂ ୨୦୧୯ ଅଯୋଧ୍ୟା ରାୟ ପ୍ରତି ଦୃଷ୍ଟି ଦେଇ ଅଦାଲତ କହିଲେ ଯେ, ଏ ମାମଲାର ଆଉ କୌଣସି ମୂଲ୍ୟ ନାହିଁ। ଏହା ମାମଲା ୩୦ ବର୍ଷରୁ ଅଧିକ ହେଲାଣି ଏବଂ ଆବେଦନକାରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ମରିଗଲେଣି। ପୂର୍ବରୁ ଅଦାଲତ ଅବମାନନା ପିଟିସନ୍‌ ଦାଏର କରାଯିବା ଉଚିତ ଥିଲା।

ସୂଚନାଯୋଗ୍ୟ, ୧୯୯୧ରେ ପିଟିସନ୍‌ ଏବଂ ୧୯୯୨ରେ ଅଦାଲତ ଅବମାନନା ଦାଏର କରିଥିବା ମହମ୍ମଦ ଅସଲମ୍‌ ଭୁରେଙ୍କର ୨୦୧୦ରେ ମୃତ୍ୟୁ ହୋଇଯାଇଛି।

Image Courtesy of Times of India

ଏହାଛଡ଼ା, ପିଟିସନ୍‌ ଦାଏରକାରୀଙ୍କ ପ୍ରତିବଦଳରେ ଜଣେ ଆମିକସ୍‌ କ୍ୟୁରିଙ୍କୁ ଉକ୍ତ ମାମଲାର ପ୍ରତିନିଧିତ୍ବ କରିବା ଲାଗି ଅନୁମତି ଦେବା ପାଇଁ ଆଡ୍‌ଭୋକେଟ୍‌ ଏମ୍. ଏମ୍. କଶ୍ୟପ କରିଥିବା ଆବେଦନକୁ ମଧ୍ୟ ଅଦାଲତ ଖାରଜ କରିଛନ୍ତି।

ସୁପ୍ରିମ୍‌ କୋର୍ଟ ମଧ୍ୟ କହିଲେ ଯେ, ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ୧୯୯୨ରେ ମସ୍‌ଜିଦ୍‌ ଭଙ୍ଗାଯାଇଥିଲା। ୧୯୪୯ରେ ପ୍ରତିମା ସ୍ଥାପନ କରି ମସ୍‌ଜିଦ୍‌କୁ ଅପବିତ୍ର କରିବା ଏବଂ ମସ୍‌ଜିଦ୍‌କୁ ଭାଙ୍ଗିବା ମଧ୍ୟ ଆଇନର ବିରୁଦ୍ଧାଚରଣ କରୁଛି।

କିନ୍ତୁ, ସେ ଯାହାହେଉ, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଥିବା ଅଯୋଧ୍ୟା ଜମି ବିବାଦକୁ ୨୦୧୯ ନଭେମ୍ବର ୯ରେ ସମାଧାନ କରାଯାଇଥିବାରୁ ବାବ୍ରି ମସ୍‌ଜିଦ୍‌ ଭଙ୍ଗାଯିବା ସଂକ୍ରାନ୍ତ ସମସ୍ତ ମାମଲାକୁ ଆଜି ସୁପ୍ରିମ୍‌ କୋର୍ଟ ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର