ଆଧାର ସଂଯୋଗ ଶେଷ ତାରିଖ ୨୦୧୮, ମାର୍ଚ ୩୧ ଯାଏଁ ବଢ଼ାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆଧାର ସଂଯୋଗ ନିମନ୍ତେ ଶେଷ ତାରିଖ ୨୦୧୮ ମାର୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରିବାକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି।

୨୦୧୭ ମସିହା ଡିସେମ୍ବର ୩୧ ପରିବର୍ତ୍ତେ ଆଧାର ସଂଯୋଗର ଶେଷ ତାରିଖ ୨୦୧୮ ମାର୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଗତକାଲି କହିଥିଲେ।

ଆଧାର ଆକ୍ଟ୍‌ର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଆଗତ ହୋଇଥିବା ଗୁଡ଼ାଏ ଆବେଦନର ଆଜି ଶୁଣାଣି କରୁଛନ୍ତି ସୁପ୍ରିମ୍‌ କୋର୍ଟ।
ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଜ୍‌ଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଗତକାଲି ଘୋଷଣା କରିଥିଲେ କି, ଆସନ୍ତା ବର୍ଷ ଜାନୁଆରି ୧୭ ତାରିଖ ଠାରୁ ଆଧାର ସ୍କିମ୍‌କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକର ଚୂଡ଼ାନ୍ତ ଶୁଣାଣି ହେବ।

କେନ୍ଦ୍ର ସରକାରଙ୍କର ପ୍ରତିନିଧିତ୍ୱ କରି ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଲ କହିଲେ ଯେ ଆସନ୍ତା ବର୍ଷ ମାର୍ଚ ୩୧ ଯାଏଁ ସରକାର ଆଧାର ସଂଯୋଗର ଶେଷ ତାରିଖ ବଢ଼ାଇବାକୁ ଇଚ୍ଛୁକ। କିନ୍ତୁ, ନୂତନ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବା ସକାଶ ଆଧାର ଏବେ ବାଧ୍ୟତାମୂଳକ ରହିବାକୁ ଅନୁମତି ଦିଆଯାଉ।

Image Courtesy of IB Times

ପାନ୍‌ କାର୍ଡ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏବଂ କେତେକ ଅର୍ଥନୈତି କାରବାର ସକାଶ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ମାର୍ଚ ୩୧ ତାରିଖ ଯାଏଁ ବଢ଼ାଇବାକୁ ଗତକାଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ।

ମୋବାଇଲ୍‌ ସିମ୍‌ କାର୍ଡ ସହ ଆଧାର ନମ୍ବର ସଂଯୋଗ କରିବା ପାଇଁ ନିର୍ଦ୍ଧାରିତ ଶେଷ ତାରିଖ ୨୦୧୮ ମସିହା ଫେବ୍ରୁଆରି ୬ ତାରିଖ ଯାଏଁ ଅପରିବର୍ତ୍ତିତ ରହିଥିଲା। ଆଧାର-ମୋବାଇ ସଂଯୋଗ ପାଇଁ ଶେଷ ତାରିଖ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ କ୍ରମେ ଧାର୍ଯ୍ୟ କରାଯାଇଥିବାରୁ ଏହାର ଶେଷ ତାରିଖ ବୃଦ୍ଧି କଥା ସାମ୍ବିଧାନିକ ଖଣ୍ଡପୀଠ ବିଚାର କରି ପାରନ୍ତି ବୋଲି ଆଟର୍ଣ୍ଣି ଜେନେରାଲ୍‌ କହିଥିଲେ।

କିନ୍ତୁ, ଆଜି ସୁପ୍ରିମ୍‌ କୋର୍ଟ ମୋବାଇଲ୍‌- ଆଧାର ସଂଯୋଗର ଶେଷ ତାରିଖ ମଧ୍ୟ ୩୧ ମାର୍ଚ ୨୦୧୮ ଯାଏଁ ବୃଦ୍ଧି କରାଇଛନ୍ତି।

ସମ୍ବନ୍ଧିତ ଖବର