ଆର୍ଥିକ ଅନାଟନର ସମ୍ମୁଖୀନ ହେଉଛି କି ସବୁଠାରୁ ଧନଶାଳୀ ଶ୍ରୀପଦ୍ମନାଭ ସ୍ବାମୀ ମନ୍ଦିର ?

ସ୍ବତନ୍ତ୍ର ଅଡିଟ ସମୟସୀମା ଜୁନ ପର୍ଯ୍ୟନ୍ତ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିରର ସ୍ବତନ୍ତ୍ର ଅଡିଟ୍ ( ହିସାବ ନିରୀକ୍ଷଣ) ପାଇଁ ସମୟସୀମାକୁ ୩୦ ଜୁନ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ସୁପ୍ରିମକୋର୍ଟ । ଗତ ୨୫ ବର୍ଷରେ ମନ୍ଦିର ଆୟବ୍ୟୟର ସ୍ବତନ୍ତ୍ର ଅଡିଟ୍ ପାଇଁ ସୁପ୍ରିମକୋର୍ଟ ଗତ ବର୍ଷ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ କାହିଁକି ମନ୍ଦିର ଆୟବ୍ୟୟର ସ୍ବତନ୍ତ୍ର ଅଡିଟ କରାଯାଉଛି ? କଥା ହେଉଛି ୨୦୨୦ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିରର ପରିଚାଳନା ଟ୍ରାଭାନକୋର ରାଜପରିବାର ଦ୍ବାରା ପରିଚାଳିତ ଟ୍ରଷ୍ଟ ହାତରୁ କାଢିନେଇ ତିରୁଅନନ୍ତପୁରମର ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପରିଚାଳନା କମିଟିକୁ ହସ୍ତାନ୍ତର କରାଯାଇଥିଲା । କମିଟି ପକ୍ଷରୁ ମନ୍ଦିର ପରିଚାଳନା ଆରମ୍ଭ କରାଯିବା ପରେ ବିଭିନ୍ନ ଆର୍ଥିକ ସମସ୍ୟା ଦେଖାଗଲା । ଏପରିକି ବିଶ୍ବର ଅନ୍ୟତମ ଧନୀ ମନ୍ଦିରର ମାସିକ ଖର୍ଚ୍ଚ ପାଇଁ ମଧ୍ୟ ଅର୍ଥ ଯଥେଷ୍ଟ ହେଉନାହିଁ । ଏଣୁ ଟ୍ରଷ୍ଟର ଆୟକୁ ମନ୍ଦିରକୁ ହସ୍ତାନ୍ତର କରିବାକୁ କମିଟି ଆବେଦନ କରିଥିଲା ।

ଏତେ ଧନଶାଳୀ ମନ୍ଦିରର ଆର୍ଥିକ ଅନାଟନର ସମ୍ମୁଖୀନ ହେଉଥିବା ଜାଣିବା ପରେ କୋର୍ଟ ମନ୍ଦିର ଆୟବ୍ୟୟର ସ୍ବତନ୍ତ୍ର ଅଡିଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଅଡିଟରୁ ଟ୍ରଷ୍ଟକୁ ବାଦ ଦେବାକୁ ଟ୍ରଷ୍ଟ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।

ଅନ୍ୟପକ୍ଷରେ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର କରୁଥିବା ବ୍ୟୟ ବାବଦରେ ୧୧ କୋଟି ଟଙ୍କା ପ୍ରଦାନ କରିବାକୁ କୋର୍ଟ ମନ୍ଦିର ପରିଚାଳନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର