ଅଗଷ୍ଟ ୩୧ ସୁଦ୍ଧା ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଆସିବ, ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୯୯୨ରେ ହୋଇଥିବା ବାବ୍ରୀ ମସଜିଦ ଭଙ୍ଗା ମାମଲାର ବିଚାର ପ୍ରକ୍ରିୟାକୁ ଆଉ ୩ ମାସ ବଢାଇଦେଇଛନ୍ତି ସୁପ୍ରିମ କୋର୍ଟ । ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ବିଚାର ସାରି ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି ।

୧୯୯୨ ଡିସେମ୍ବର ୬ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦକୁ ଭାଙ୍ଗିଦିଆଯାଇଥିଲା । ଏହି ଘଟଣାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଷୀ, ଉମା ଭାରତୀଙ୍କ ନାଁରେ ମାମଲା ଚାଲିଛି । ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍ ଏସ.କେ.ଯାଦବ ଏହି ସମୟସୀମା ବୃଦ୍ଧି ପାଇଁ କୋର୍ଟଙ୍କୁ ଜଣାଇବା ପରେ ସୁପ୍ରିମ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଜଷ୍ଟିସ ଆରଏଫ ନରିମନ ଓ ସୂର୍ଯ୍ୟକାନ୍ତ ଏହି ସମସସୀମା ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି । ତେବେ ମାମଲାକୁ ଆଉ ବିଳମ୍ବ ନକରି ଅଗଷ୍ଟ ୩୧ ସୁଦ୍ଧା ସବୁ ପ୍ରକାରର ଆଇନଗତ ପ୍ରକ୍ରିୟା ସାରିବାକୁ ବେଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ବର୍ଷ ଜୁଲାଇ ୧୯ ସୁପ୍ରିମକୋର୍ଟ ଏହି ମାମଲାକୁ ୯ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ୯ ମାସ ଏପ୍ରିଲ ମାସରେ ଶେଷ ହୋଇଯାଇଛି । ତେବେ ଏହି ମାମଲାର ଆଉ କେତେକ ଶୁଣାଣି ଏବେ ମଧ୍ୟ ବାକି ରହିଛି ।

ଏହି ମାମଲାରେ ଅଭିଯୁକ୍ତି ଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ, ସାଧ୍ୱୀ ରିତମ୍ଭରା ଓ ବିଜେପି ସାଂସଦ ବିନୟ କଟିୟାର ।

ସମ୍ବନ୍ଧିତ ଖବର