ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହଙ୍କୁ ଗିରଫଦାରିରୁ ସୁରକ୍ଷା ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବଟି ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିଛନ୍ତି। କିନ୍ତୁ, ତାଙ୍କ ବିରୋଧରେ ଆଗତ ହୋଇଥିବା ବଟି ଆଦାୟ ଅଭିଯୋଗ ତଦନ୍ତରେ ସହଯୋଗ କରିବା ଲାଗି ସର୍ବୋଚ୍ଚ ଅଦାଲତ ତାଙ୍କୁ ନିର୍ଦେଶ ଦେଇଛନ୍ତି।

ଅକ୍ଟୋବର ମାସରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ପରମବୀର ଫେରାର ହୋଇ ନାହାନ୍ତି, ଭାରତରେ ଅଛନ୍ତି ବୋଲି ତାଙ୍କ ଓକିଲ ଅଦାଲତଙ୍କୁ କହିଛନ୍ତି। ସେ କହିଲେ, ପରମବୀର ସିଂହ ଫେରାର ହେବାକୁ ଚାହାଁନ୍ତି ନାହିଁ କି, କୁଆଡ଼େ ପଳାଇ ଯିବାକୁ ଚାହାଁନ୍ତି ନାହିଁ। କିନ୍ତୁ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ଜଣାଇଲେ ଯାଇ ତାଙ୍କ ଆବେଦନର ଶୁଣାଣି କରାଯିବ ବୋଲି ଗତ ସପ୍ତାହରେ ସୁପ୍ରିମ୍‌ କୋର୍ଟ କହିଥିଲେ।

Image Courtesy of NDTV

ଆବେଦନ ପତ୍ରରେ ସିଂହ ଲେଖିଥିଲେ, ଭୟ ହେତୁ ଯେ, ମୁଁ ଅଦାଲତରେ ହାଜର ହେଉନି, ତାହା ନୁହେଁ। ବିଚାର ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ମୁଁ ‘ସିବିଆଇ’ ଅଦାଲତରେ ହାଜର ହେବାକୁ ପ୍ରସ୍ତୁତ। କିନ୍ତୁ, ମୋତେ ଅନୁସରଣ କରାଯାଉଛି। ମୋ ନାଁରେ ୬ଟି ମାମଲା ରୁଜୁ କରାଯାଇଛି। ମୁଁ ଦୁଃଖରେ ଅଛି। ଦୟାପୂର୍ବକ ମତେ ସୁରକ୍ଷା ପ୍ରଦାନ କରନ୍ତୁ। ମୁଁ ଥିଲି ସବୁଠୁ ବରିଷ୍ଠ ପୁଲିସ ଅଧିକାରୀ। ମୁଁ ଫେରାର ହୋଇଯିବି ନାହିଁ।

ଆଜି ତାଙ୍କ ଆବେଦନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ କହିଲେ, ଅଫିସର୍‌ ତଦନ୍ତରେ ଯୋଗ ଦେବେ। କିନ୍ତୁ, ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର