ସୁପ୍ରିମକୋର୍ଟରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଶ୍ବସ୍ତି : ବିଧାନସଭା ସ୍ବାଧିକାର ଭଙ୍ଗ ମାମଲାରେ ମିଳିଲା ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭା ପକ୍ଷରୁ ଜାରି ସ୍ବାଧିକାର ଭଙ୍ଗ ମାମଲାରେ ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି । ତାଙ୍କ ଗିରଫଦାରି ଉପରେ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଲଗାଇନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅର୍ଣ୍ଣବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ.ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

ଗୋସ୍ବାମୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭାର ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଅଦାଲତ ଅବମାନନା ଅଭିଯୋଗରେ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ସମାଲୋଚନା କରିବା ଅଭିଯୋଗରେ  ଶିବସେନା ବିଧାୟକ ପ୍ରତାପ ସରନାଏକ ଅର୍ଣ୍ଣବଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରିଥିଲେ । ଏହାର ଜବାବ ରଖିବାକୁ  ମହାରାଷ୍ଟ୍ର ବିଧାନସଭାର ସଚିବଙ୍କ ପକ୍ଷରୁ ଅର୍ଣ୍ଣବଙ୍କୁ ଏକାଧିକ ଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ତାହାର ଜବାବ ଦେଇନଥିଲେ । ଏହା ପରେ ଗତ କାଲି (ଗୁରୁବାର) ବିଧାନସଭାର ସ୍ବାଧିକାର କମିଟି ବସି ଅର୍ଣ୍ଣବଙ୍କ ସ୍ବାଧିକାର ଭଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟରେ ଚାଲିଥିବା ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି ।

ସମ୍ବନ୍ଧିତ ଖବର