‘ଆରଓ’ ପାଣିରେ ଜଳାଭିଷେକ ହେବେ ମହାକାଳେଶ୍ୱର

ଇନ୍ଦୋର: ଦ୍ୱାଦଶ ଜ୍ୟୋର୍ତି ଲିଙ୍ଗ ମଧ୍ୟରୁ ଅନ୍ୟତମ ମଧ୍ୟପ୍ରଦେଶର ଉଜୈନସ୍ଥିତ ‘ବାବା ମହାକାଳେଶ୍ୱର’ଙ୍କୁ ‘ଆରଓ’ ପାଣିରେ ଜଳାଭିଷେକ କରାଯିବ। ଜଳ ଓ ଦୁଗ୍ଧ ଚଢ଼ାଇବା ଦ୍ୱାରା ଶିବଲିଙ୍ଗର ଆକାର ଛୋଟ ହୋଇଯିବା ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନ ଉପରେ ଏହି ଆଦେଶ ହୋଇଛି। ଏହା ପୂର୍ବରୁ ବିଶେଷଜ୍ଞ ଦଳର ଏକ କମିଟି ଜ୍ୟୋର୍ତିଲିଙ୍ଗର ତଦନ୍ତ କରି ପଞ୍ଚାମୃତର ପରିମାଣ ନିର୍ଦ୍ଧାରଣ କରିବାକୁ କହିଥିଲେ।

ମହାକାଳ ଶିବଲିଙ୍ଗର କ୍ଷରଣ ନେଇ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଆବେଦନ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉପରେ ପୁରାତତ୍ତ୍ୱ ବିଭାଗ, ଭୂ-ବୈଜ୍ଞାନିକ ଓ ଅନ୍ୟ ବିଶେଷଜ୍ଞମାନେ ମହାକାଳ ଗସ୍ତ କରିଥିଲେ। ଟିମ୍‌ ଶିବଲିଙ୍ଗ, ପାଣି, ଫୁଲ, ଦୁଗ୍ଧ ଓ ଅନ୍ୟ ସାମଗ୍ରୀ ବିଷୟରେ ଅବଗତ ହେବା ସହିତ ନମୁନା ମଧ୍ୟ ସଂଗ୍ରହ କରିଥିଲେ। ଟିମ୍‌ ତଦନ୍ତ ରିପୋର୍ଟ ଦାଖଲ କରି ଅଭିଷେକ ପରିମାଣ ସମ୍ପର୍କରେ କିଛି ପରାମର୍ଶ ଦେଇଥିଲେ।

ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣିରେ ଆଦେଶ ଦେଇଛନ୍ତି, ଭକ୍ତ ଅଧଲିଟର ପାଣି ନେଇ ମହାକାଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସେହିଭଳି ଯେଉଁଭକ୍ତମାନେ ଦୁଗ୍ଧାଭିଷେକ କରିବାକୁ ଚାହାନ୍ତି, ସେମାନେ ୧.୨୫ ଲିଟର ନେଇ ଯିବାରେ କୌଣସି ଅସୁବିଧା ନାହିଁ।

କୋର୍ଟ ଶୁକ୍ରବାର ଶୁଣାଣିରେ ଆଦେଶ ଦେଇଛନ୍ତି, ମହାକାଳ ଜ୍ୟେର୍ତିଲିଙ୍ଗ ଏଣିକି ‘ଆରଓ’ ପାଣିରେ କରାଯାଉ। କୋର୍ଟ ପାଣିର ପରିମାଣ ମଧ୍ୟ ନିର୍ଦ୍ଧାରଣ କରିବାକୁ କହିଛନ୍ତି। ଏଣିକି ଭକ୍ତ ଅଧାଲିଟର ପାଣି ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସେହିଭଳି ଯେଉଁଭକ୍ତମାନେ ଦୁଗ୍ଧାଭିଷେକ କରିବାକୁ ଚାହାନ୍ତି, ସେମାନେ ୧.୨୫ ଲିଟର ନେଇ ଯାଇ ପାରିବେ।

ମହାକାଳଙ୍କ ଶୃଙ୍ଗାରରେ ବ୍ୟବହାର ହୁଏ ‘ଭାଙ୍ଗ’
ଉଜୈନର ଜ୍ୟୋର୍ତିଲିଙ୍ଗ କ୍ଷରଣ ମାମଲା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏମିତି ଅନେକ କଥା ଶୁଣାଯାଇଛି। କିନ୍ତୁ କମିଟିର ରିପୋର୍ଟରେ ପ୍ରଥମ ଥର ଏହା ସ୍ପଷ୍ଟ ହୋଇଛି। ଏଠାରେ ଶୃଙ୍ଗାର କାମରେ ଭାଙ୍ଗ ବ୍ୟବହାର କରାଯାଇଥାଏ।

ମହାକାଳରେ ଏମିତି ହୁଏ ପୂଜାର୍ଚ୍ଚନା
ପୂଜାରୀ ପ୍ରଦୀପ ଗୁରୁଙ୍କ କହିବା ଅନୁସାରେ, ସକାଳୁ ପଞ୍ଚାମୃତରେ ଅଭିଷେକ ହୋଇଥାଏ। ପରେ ପୁଣି ଜଳାଭିଷେକ ଓ ଭସ୍ମ ଆରତୀ ହୋଇଥାଏ। ରାତି ପର୍ଯ୍ୟନ୍ତ ୪ ଥର ଅଭିଷେକ ହୁଏ। ଶ୍ରଦ୍ଧାଳୁ ଦିନସାରା ଅନେକ ଥର ପଞ୍ଚାମୃତ ଚଢ଼ାଇ ଥାଆନ୍ତି।

ଅନ୍ୟ ଜ୍ୟୋର୍ତିଲିଙ୍ଗ ଉପରେ ନଜର
ଦେଶରେ ୧୨ଟି ଜ୍ୟୋର୍ତିଲିଙ୍ଗ ଅଛି। ଏଥିରୁ ୭ଟିରେ ଶ୍ରଦ୍ଧାଳୁ ଦୁଗ୍ଧ-ପଞ୍ଚାମୃତ ଅଭିଷେକ ହୋଇଥାଏ। ଓକାରେଶ୍ୱର, ତ୍ରୟମ୍ବକେଶ୍ୱର, ଘୃଷ୍ଟେଶ୍ୱର, ଭୀମାଶଙ୍କର, ମଲ୍ଲିକାର୍ଜୁନ, କେଦାରନାଥ ଓ ସୋମନାଥ ସାମିଲ ଅଟେ। ସେହିଭଳି କାଶୀ ବିଶ୍ୱନାଥ, ରାମେଶ୍ୱର ଓ ନାଗାର୍ଜୁୁନରେ ଜଳାଭିଷେକ ପାଇଁ କୌଣସି ସମସ୍ୟା ନାହିଁ।

ସମ୍ବନ୍ଧିତ ଖବର