‘ଚୌକିଦାର୍‌ ଚୋର ହୈ’ ପ୍ରସଂଗରେ ରାହୁଲଙ୍କ ସତ୍ୟପାଠରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମ କୋର୍ଟ, ମାମଲା ବନ୍ଦ ଆବେଦନ ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟୟାଳୟ ମଙ୍ଗଳବାର ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଏକ ନୋଟିସ୍‌ ଜାରି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୁପ୍ରିମ୍‌କୋର୍ଟରେ ରାଫେଲ୍‌ ଚୁକ୍ତି ନେଇ ମାମଲା ଚାଲିଥିବା ବେଳେ  ଏକ ସଭାରେ ମନ୍ତବ୍ୟ ଦେଇଥିଲେ କି ରାଫେଲ୍ ମାମଲାରେ ସୁପ୍ରିମ କୋର୍ଟ ମଧ୍ୟ ‘ଚୌକିଦାର୍‌ ଚୋର ହୈ’ ବୋଲି ଗ୍ରହଣ କରିଛନ୍ତି। ରାଫେଲ ମାମଲା ବିଚାରାଧୀନ ଥିବା ବେଳେ ରାହୁଲଙ୍କ ମନ୍ତବ୍ୟ ଆସିଥିଲା। ରାହୁଲଙ୍କ ଏପରି ମନ୍ତବ୍ୟ  ପରେ ବିଜେପି ସାଂସଦ ମୀନାକ୍ଷୀ ଲେଖି ତାଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ଅଭିଯୋଗ ଆଣି ଏହା ଅଦାଲତଙ୍କ ଅବମାନନା ବୋଲି କହିଥିଲେ। ଏହି ମାମଲାରେ ସୁପ୍ରିମ୍‌କୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ଶୁଣାଣି ଅଦାଲତ ଏପ୍ରିଲ୍‌ ୩୦ ତାରିଖକୁ ସ୍ଥିର କରିଛନ୍ତି।

ମୀନାକ୍ଷୀ ଲେଖି ଅଭିଯୋଗ ଆଣିବା ପରେ ରାହୁଲ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଏକ ୨୬ ପୃଷ୍ଠାର ସତ୍ୟାପାଠ ଦାଖଲ କରି କ୍ଷମା ପ୍ରାର୍ଥନା କରିଥିଲେ। ‘ଚୌକିଦାର୍‌ ଚୋର ହୈ’ ମନ୍ତବ୍ୟ ଦେଇଥିବା ହେତୁ ସେ ଦୁଃଖିତ ଓ ସେଥିପାଇଁ ସେ କ୍ଷମା ଚାହାନ୍ତି ବୋଲି ସତ୍ୟପାଠରେ ଲେଖିଥିଲେ।

ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ରାହୁଲଙ୍କର ଏହି ସତ୍ୟପାଠରେ ସନ୍ତୁଷ୍ଟ ନୁହନ୍ତି ବୋଲି କହିବା ସହ ରାହୁଲଙ୍କୁ ତାଙ୍କର ଏପରି ଭୁଲ୍‌ ପାଇଁ ଅଦାଲତଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି। ମୀନାକ୍ଷୀ ଆଣିଥିବା ‘ଅଦାଲତ ଅବମାନନା ମାମଲା’କୁ ବନ୍ଦ କରିବାକୁ ରାହୁଲ କରିଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଅନ୍ୟପକ୍ଷେ ରାଫେଲ୍‌ ମାମଲାର ପୁନଃ ସମୀକ୍ଷାର ଶୁଣାଣି ମଧ୍ୟ ଏପ୍ରିଲ୍‌ ୩୦ ତାରିଖରେ ହେବ ବୋଲି ଅଦାଲତ କହିଛନ୍ତି।

ସମ୍ବନ୍ଧିତ ଖବର