ସୁପ୍ରିମକୋର୍ଟରେ ପହଞ୍ଚିଲା ପୁଡୁଚେରୀ ଉପରାଜ୍ୟପାଳ-ନିର୍ବାଚିତ ସରକାର ବିବାଦ

ନୂଆଦିଲ୍ଲୀ : କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଚାଲିଥିବା ଉପରାଜ୍ୟପାଳ କିରଣ ବେଦି ଓ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଗତ ଏପ୍ରିଲ ୩୦ରେ ମାଡ୍ରାସ ହାଇକୋର୍ଟ ରାୟ ଦେଇଥିଲେ ଯେ ଉପରାଜ୍ୟପାଳ ପୁଡୁଚେରୀ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ । ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହା ପରେ ସୁପ୍ରିମକୋର୍ଟ ପୁଡୁଚେରୀର କଂଗ୍ରେସ ନେତା କେ.ଲକ୍ଷ୍ମୀନାରାୟନନଙ୍କୁ ନୋଟିସ ଜାରି କରିଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ୩ ଜଣିଆ ବେଞ୍ଚ ନିକଟରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମି ଉପରାଜ୍ୟପାଳ କିରଣ ବେଦୀ କୌଣସି ଫାଇଲ କାମ ଆଗକୁ ବଢ଼ାଉ ନଥିବା ନେଇ ଅଭିଯୋଗ କରିଆସୁଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ଇଶାରାରେ ରାଜ୍ୟ ସରକାରଙ୍କୁ ନିଜ କାମ କରିବାକୁ ଦେଉ ନଥିବା ସେ କହୁଛନ୍ତି । ମୁଖ୍ୟମନ୍ତ୍ରୀ ନାରାୟଣ ସାମିଙ୍କ ପରେ କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ ୨୦୧୭ରେ ଅଦାଲତରେ ଏକ ପିଟିସନ ଦାୟର କରିଥିଲେ । ଯେଉଁଥିରେ ରାଜ୍ୟର ଦୈନିକ ଗିତିବିଧିରେ କିରଣ ବେଦୀ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ କରାଯାଇଥିଲା । ବିଧାୟକ ଲକ୍ଷ୍ମୀନାରାୟଣଙ୍କ ପିଟିସନ ଉପରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟ ରାୟ ଦେଇଥିଲେ ଯେ ଉପରାଜ୍ୟପାଳ ପୁଡୁଚେରୀ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ ।

ସମ୍ବନ୍ଧିତ ଖବର