ରାହୁଲଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : ରାଫେଲ ବିମାନ ଚୁକ୍ତି ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ କଦର୍ଥ କରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଦେଉଥିବା ମନ୍ତବ୍ୟ ‘ଚୌକିଦାର ଚୋର୍ ହୈ’କୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆଜି ହୋଇଛି। ଏହି ମାମଲାର ଶୁଣାଣି କରିବା ସହିତ ସୁପ୍ରିମ କୋର୍ଟ ରାହୁଲଙ୍କୁ ନୋଟିସ୍ ଜାରି କରିଛନ୍ତି।

ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି, ‌ରାହୁଲ ଗଣମାଧ୍ୟମରେ ଏବଂ ସଭାସମିତିରେ କୋର୍ଟଙ୍କ ନାମ ନେଇ ଯେଉଁସବୁ ମତ, ଟିପ୍ପଣୀ ଆଦି ଦେଉଛନ୍ତି ତାହା ଠିକ୍ ନୁହେଁ। ଶୁଣାଣି ବେଳେ କୋର୍ଟ ଏଭଳି କୌଣସି ମନ୍ତବ୍ୟ ଦେଇ ନାହାନ୍ତି। କେବ‌ଳ କେତେକ ଦସ୍ତାବିଜର ଆଇନଗତ ଗ୍ରହଣୀୟତା ନେଇ ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି। ଏହି ଖଣ୍ଡପୀଠର ଅନ୍ୟ ଦୁଇ ଜଣ ବିଚାରପତି ହେଲେ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନା। ଏହି ବିଷୟ ସ୍ପଷ୍ଟ କରିବା ପରେ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ରାହୁଲ ତାଙ୍କ ଉତ୍ତର ଆସନ୍ତା ସୋମବାର ଅର୍ଥାତ୍ ୨୨ ତାରିଖ ସୁଦ୍ଧା ଦାଖଲ କରିବା ଲାଗି କୁହାଯାଇଛି। ଫଳରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖ ବା ମଙ୍ଗଳବାର ହେବ।

ବିଜେପି ନେତ୍ରୀ ମୀନାକ୍ଷୀ ଲେଖିଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ଏହି ଅଦାଲତ ଅବମାନନା ମାମଲା ହୋଇଥିଲା। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ ଯେ, ରାଫେଲ ମାମଲାରେ ରାହୁଲ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଭୁଲ ଭାବେ ଉଲ୍ଲେଖ କରୁଛନ୍ତି। ଚୌକିଦାର (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ) ଚୋର୍ ହୈ ବୋଲି ସୁପ୍ରିମ କୋର୍ଟ ଗ୍ରହଣ କରିଛନ୍ତି ବୋଲି ରାହୁଲ ତାଙ୍କ ବକ୍ତବ୍ୟରେ କହୁଛନ୍ତି।

ସମ୍ବନ୍ଧିତ ଖବର