ଉପସାଗରୀୟ ଦେଶରେ କାମ କରୁଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ କେନ୍ଦ୍ର ସରକାର ଓ ଓଡ଼ିଶା ସମେତ ୧୪ଟି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉପସାଗରୀୟ ଦେଶଗୁଡ଼ିକରେ କାମ କରୁଥିବା ଭାରତୀୟ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର, ସିବିଆଇ ଓ ଓଡ଼ିଶା ସମେତ ୧୪ଟି ରାଜ୍ୟ ସରାକାରଙ୍କୁ ନୋଟିସ ଜାରି କରିଛନ୍ତି ।

ଜଷ୍ଟିସ ଏନ.ଭି. ରମନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ ଏହି ନୋଟିସ ଜାରି କରିଛନ୍ତି । ଉପସାଗରୀୟ ଅଞ୍ଚଳରେ ଥିବା ବିଭିନ୍ନ ଯଥା ସାଉଦିଆରବ, ୟୁଏଇ, କାତାର, କୁଏତ, ଇରାନ ଆଦି ଦେଶରେ ପ୍ରାୟ ୧୦ କୋଟି ଭାରତୀୟ କାମ କରନ୍ତି । ସେମାନଙ୍କ ସୁରକ୍ଷା, ସ୍ବାର୍ଥରକ୍ଷା ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ସମୟରେ ବିଭିନ୍ନ ବିଦେଶୀ ରାଷ୍ଟ୍ରକୁ କାମ ପାଇଁ ଯାଉଥିବା ଭାରତୀୟମାନଙ୍କୁ ବିଭିନ୍ନ ଏଜେଣ୍ଟ ମାନେ ଠକିବାର ମାମଲା ସାମନାକୁ ଆସୁଛି। ସେହିପରି ସେଠାରେ ପହଞ୍ଚିବା ପରେ ମଧ୍ୟ ଭାରତୀୟମାନଙ୍କ ପ୍ରତି ଶୋଷଣ ହେଉଥିବା ଖବର ଆସୁଛି । ମୃତ୍ୟୁବରଣ କଲେ ମଧ୍ୟ ସେମାନଙ୍କ ମୃତଦେହ ଭାରତ ଫେରିପାରୁ ନାହିଁ । ଏସବୁକୁ ରୋକିବାକୁ ସରକାର ପୂର୍ବରୁ ଅନେକ ନୀତି ପ୍ରଣୟନ କରିଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ସେ ସମ୍ପର୍କରେ ମଧ୍ୟ କୋର୍ଟ ରିପୋର୍ଟ ତଲବ କରିଛନ୍ତି ।

ସମ୍ବନ୍ଧିତ ଖବର