ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ର ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରି ସରକାର ମାର୍ଚ୍ଚ ମାସରୁ ସାରା ଦେଶକୁ ଲକଡାଉନ କରିଥିଲେ । ଏ ନେଇ ବିମାନ ଉଡ଼ାଣ ଉପରେ ମଧ୍ୟ ରୋକ୍ ଲାଗିଥିଲା । ସରକାରଙ୍କ ହଠାତ ଏଭଳି ନିଷ୍ପତ୍ତି ପରେ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟର ସଂପୂର୍ଣ୍ଣ ଟଙ୍କା ବିମାନ କମ୍ପାନି ଫେରାଇବ ବୋଲି ଡିଜିସିଏ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଡିଜିସିଏର ନିର୍ଦ୍ଦେଶ ପରେ ମଧ୍ୟ କିଛି ବିମାନ କମ୍ପାନି ଟିକେଟର ଟଙ୍କା ନ ଫେରାଇ ଅନ୍ୟ ଅଫର ଦେଉଥିବା ନେଇ ସୁପ୍ରିମକୋର୍ଟରେ କିଛି ଯାତ୍ରୀ ଅଭିଯୋଗ କରିଥିଲେ । ଆଜି ଏ ନେଇ କେନ୍ଦ୍ରକୁ ଏବଂ ଡିଜିସିଏକୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କୁ ନୋଟିସ ଜାରି କରିଛି। ଐଥିରେ ଦର୍ଶାଯାଇଛି ଯେ କେତେକ ସଂସ୍ଥା ବିମାନ ସେବା ରଦ୍ଦ ପରେ ଟିକେଟ ଟଙ୍କା ଫେରସ୍ତ କରିବାରେ ବିଫଳ ହେବା ସହ ଟଙ୍କା ନ ଫେରାଇ 'କ୍ରେଡିଟ୍ ସେଲ୍'(ଭବିଷ୍ୟତରେ ସେହି ଟଙ୍କାରେ ଆଉ ଏକ ଟିକେଟ କରିବାର ସୁଯୋଗ) ଅଫରକୁ ଗ୍ରହଣ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆସିଛି । ଏ ନେଇ ପକ୍ଷ ରଖିବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2020/05/Flights.jpg)
ସୂଚନା ମୁତାବକ, ଏୟାର ପାସେଞ୍ଜର ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ବାରା ଦାଖଲ ହୋଇଥିବା ଏହି ପିଟିସନରେ ଦର୍ଶାଯାଇଛି ଯେ, ଟିକେଟ୍ ଅର୍ଥ ଫେରସ୍ତ କରିବାକୁ ମନା କରିବା “ମନମୁଖୀ” ଏବଂ ବେସାମରିକ ବିମାନ ଚଳାଚଳ ନିୟମର (ସିଏଆର) ଖୋଲା ଉଲ୍ଲଂଘନ। ପୁଣି 'କ୍ରେଡିଟ୍ ସେଲ୍'କୁ ଗ୍ରହଣ କରିବା ବା ନ କରିବା ତାହା ଯାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ। ଏ ନେଇ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି।