ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ମୃତ୍ୟୁ ସଂକ୍ରାନ୍ତ ସମସ୍ତ ତଥ୍ୟ ଆବେଦନକାରୀଙ୍କୁ ଦିଅ

ନୂଆଦିଲ୍ଲୀ : ସୋହରାବୁଦ୍ଦିନ ମିଥ୍ୟା ଏନକାଉଣ୍ଟର ମାମଲାର ଶୁଣାଣି କରୁଥିବା ସିବିଆଇ ବିଚାରପତି ସ୍ୱର୍ଗତ ଜଷ୍ଟିସ୍‌ ବ୍ରଜଗୋପାଳ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ସ୍ୱାଧୀନ ତଦନ୍ତ ପାଇଁ ହୋଇଥିବା ଏକ ଆବେଦନର ଆଜି ଶୁଣାଣି ଥିବା ବେଳେ ତାହାକୁ ସୁପ୍ରିମକୋର୍ଟ ଗୋଟିଏ ସପ୍ତାହ ପାଇଁ ମୁଲତବି ରଖିଛନ୍ତି। ଅନ୍ୟପକ୍ଷରେ, ଜଷ୍ଟିସ ଲୋୟାଙ୍କ ଆବେଦନକାରୀଙ୍କୁ ମହାରାଷ୍ଟ୍ର ସରକାର ଲୋୟାଙ୍କ ମୃତ୍ୟୁ ସଂକ୍ରାନ୍ତ ସମସ୍ତ ତଥ୍ୟା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣାରେ ଆବେଦନକାରୀମାନେ ସବୁକିଛି ଜାଣିବା ଉଚିତ ଏବଂ ସମସ୍ତ ତଥ୍ୟ ସହ ମେଡିକାଲ ରିପୋର୍ଟକୁ ମଧ୍ୟ ସେମାନେ ପରୀକ୍ଷା କରିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ ଆବେଦନକାରୀଙ୍କୁ ତଥ୍ୟ ଦେବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ତାହାକୁ ସର୍ବସାଧାରଣ ନକରିବାକୁ ମହାରାଷ୍ଟ୍ର ସରକାରଙ୍କ ଆଇନଜୀବୀ ହରିଶ ସାଲ୍‌ଭେ ଅନୁରୋଧ କରିଛନ୍ତି। ସୂଚନାଥାଉକି, ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଗୁଜରାଟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତ ଥିବା ହାଇପ୍ରୋଫାଇଲ ସୋହରାବୁଦ୍ଦିନ ମିଥ୍ୟା ଏନକାଉଣ୍ଟର ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ଲୋୟାଙ୍କର ୨୦୧୪ ଡିସେମ୍ବର ପହିଲାରେ ନାଗପୁରରେ ଜଣେ ସହକର୍ମୀଙ୍କ ଝିଅର ବିବାହ ଉତ୍ସବକୁ ଯାଇଥିବାବେଳେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର