କୃଷକଙ୍କ ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୃଷକମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିପାରିବେ ନାହିଁ । ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ ।

ଦିଲ୍ଲୀର ସିଙ୍ଗୁ ସୀମାରେ ଗତ ବର୍ଷଠାରୁ ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଦାଏର ଏକ ପିଟିସନର ବିଚାର କରି  ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି । ଏ ସମ୍ପର୍କରେ ଆସନ୍ତା ତିନି ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ କୃଷକ ୟୁନିୟନଗୁଡ଼ିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୋଇଡାର ଜଣେ ବ୍ୟକ୍ତି ଏହି ପିଟିସନ ଦାଏର କରିଛନ୍ତି । ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ସେ ଆବେଦନ କରିଛନ୍ତି ।  ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ତାରିଖରେ ହେବ ।

କୋର୍ଟ କହିଛନ୍ତି ଯେ କୃଷି ଆଇନ ସମ୍ପର୍କିତ ମାମଲା ବିଚାରାଧିନ ଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନ କରିପାରିବେ, କିନ୍ତୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିପାରିବେ ନାହିଁ ।

ଗତ ସପ୍ତାହରେ ମଧ୍ୟ ସୁପ୍ରିମକୋର୍ଟ ସମାନ ମନ୍ତବ୍ୟ ଦେଇ କହିଥିଲେ ଯେ ଆନ୍ଦୋଳନକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିପାରିବେ ନାହିଁ । କୌଣସି ପ୍ରସଙ୍ଗରେ ଲୋକମାନଙ୍କ ଆପତ୍ତି ଅଭିଯୋଗ ଥିଲେ ତାହା ଆଇନଗତ ଉପାୟ, ସଂସଦୀୟ ବିତର୍କ ଓ ଆନ୍ଦୋଳନ ଆଦି ମାଧ୍ୟମରେ କରାଯାଇପାରିବ । କିନ୍ତୁ ରାଜରାସ୍ତାଗୁଡ଼ିକୁ କିପରି ଦୀର୍ଘ ସମୟ ଧରି ଅବରୋଧ କରାଯାଇପାରିବ ?

ସମ୍ବନ୍ଧିତ ଖବର