ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ ନ୍ୟାୟପାଳିକା ଓ ସରକାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ଆହୁରି ତୀବ୍ର ହୋଇଛି । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ୍ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ହାଇକୋର୍ଟରେ ବିଚାରପତି ନିଯୁକ୍ତି ଉପରେ କଲେଜିୟମ ର’ ଓ ଆଇବି ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିଛି । ଏହା ସହିତ କେନ୍ଦ୍ରର ଆପତ୍ତିଗୁଡ଼ିକୁ ପ୍ରକାଶ କରାଯିବା ସହ ସେଗୁଡ଼ିକର ବିସ୍ତୃତ ଉତ୍ତର ଦିଆଯାଇଛି । ଚାରି ଦିନର ବିଚାର ବିମର୍ଶ ପରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ କଲେଜିୟମ ଏହି ନିଷ୍ପତ୍ତି ନେଇଛନ୍ତି ।

Advertisment

ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ନ୍ୟାୟପାଳିକା ମଧ୍ୟରେ ମୁହାଁମୁହିଁ ହେବା ମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ ଏହି ବଡ ଏବଂ ଐତିହାସିକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରର ଆଭିମୁଖ୍ୟର ଜବାବ ଦେବା ପାଇଁ ସିଜେଆଇଙ୍କ ନେତୃତ୍ୱରେ କଲେଜିୟମ ଏଥର ଏହି ମାମଲାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛି । ଏପରିକି କଲେଜିୟମର ସୁପାରିଶ, କେନ୍ଦ୍ରର ଆପତ୍ତି, ଗୁଇନ୍ଦା ରିପୋର୍ଟକୁ ବି ସାର୍ବଜନିନ କରାଯିବ ।  ଆହୁରି ମଧ୍ୟ, ଏହିପରି କ୍ଷେତ୍ରରେ କଲେଜିୟମର ମତାମତ ମଧ୍ୟ ସୁପାରିଶରେ ଅନ୍ତର୍ଭୁକ୍ତ କରାଯିବ ।

ସୂତ୍ରରୁ ପ୍ରକାଶ ଯେ, ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଗତ କିଛି ଦିନ ଧରି କଲେଜିୟମର ସୁପାରିଶ ଉପରେ ବିଚାର କରୁଥିଲେ। ହାଇକୋର୍ଟରେ ବିଚାରପତି ନିଯୁକ୍ତି ଏବଂ ସୌରଭ କ୍ରିପାଲଙ୍କ ସମେତ ଅନ୍ୟ ଓକିଲଙ୍କ ନାମ ପୁଣିଥରେ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।