ଦେଶଦ୍ରୋହ ଆଇନ ସଂପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪-କ) ଉପରେ ସ୍ଥଗିତାଦେଶ ଲଗାଇ ସରକାରଙ୍କୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ନେଇ ଖୁବଶୀଘ୍ର ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ଗାଇଡଲାଇନ ଜାରି କରାଯିବ । କେନ୍ଦ୍ର ଗୃହ ସଚିବ ଏନେଇ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପରାମର୍ଶ ଜାରି କରିବେ ଯେପରିକି ଏହାର ଅପବ୍ୟବହାର ହୋଇ ନପାରିବ ।

ଆଜି ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନକୁ ସରକାରଙ୍କ ଦ୍ବାରା ସମୀକ୍ଷା ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ଏହି ଆଇନ ଉପରେ ନୂଆ ଏଫଆଇଆର ରୁଜ୍ଜୁ ଉପରେ କଟକଣା ଲଗାଇଥିଲେ । ଏହା ସହିତ ବକେୟା ମାମଲା, ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ ।

ଗତ ସୋମବାରଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ କରି ଜଣାଇଥିଲେ ଯେ ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ସମୟ ଅପଚୟ କରିବା ଉଚିତ ନୁହେଁ  ଓ ସରକାରଙ୍କ ଦ୍ବାରା ହେବାକୁ ଥିବା ସମୀକ୍ଷାକୁ ଅପେକ୍ଷା କରିବା ଉଚିତ ।

ତେବେ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ  ସରକାର ଦେଶଦ୍ରୋହ ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବାର ସମ୍ଭାବନା କମ । ତେବେ ସରକାରଙ୍କ ପକ୍ଷରୁ କରାଯିବାକୁ ଥିବା ସମୀକ୍ଷା ପରେ ଏହାର ଯେପରି ଅପବ୍ୟବହାର ନହେବ ନେଇ ନେଇ କେତେକ ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର