ନୂଆଦିଲ୍ଲୀ : ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ସଂରକ୍ଷଣ ବିନା ଉତ୍ତରପ୍ରଦେଶରେ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ସପ୍ତାହରେ ଯୋଗୀ ସରକାର ସୁପ୍ରିମକୋର୍ଟ ଯାଇଥିଲେ ।
ପ୍ରଧାନ ବିଚାରପତି ଜଷ୍ଟିସ ଜେଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ଲଗାଇଛନ୍ତି । ଏହି ସ୍ଥଗିତାଦେଶ ଲଗାଇବା ସହ ବେଞ୍ଚ୍ କହିଛନ୍ତି ଯେ ଯେଉଁ ପୌରସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଛି ସେମାନଙ୍କ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ତେବେ ଏହି ସମୟରେ କୌଣସି ବଡ଼ଧରଣର ନୀତିଗତ ନିଷ୍ପତ୍ତି ନିଆଯିବ ନାହିଁ ।
ଏହି ଶୁଣାଣି ବେଳେ ସେଲିସିଟର ଜେନେରାଲ ତୁଷାର ମେହେଟା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷ ରଖିଥିଲେ ।
ପୌର ନିର୍ବାଚନ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଡିଲିମିଟେସନ ପ୍ରକ୍ରିୟା ତିନି ମାସରେ ଶେଷ ହୋଇଯିବ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, "ତିନି ମାସ ଅଧିକ ସମୟ ଲାଗୁଛି, ତାଠାରୁ କମ ସମୟରେ ହୋଇପାରିବ ନାହିଁ କି ?
ୟୁପି ସରକାର କହିଛନ୍ତି ଯେ ଆୟୋଗର ଅଧ୍ୟକ୍ଷ ଭାବରେ ନିଯୁକ୍ତ ବିଚାରପତିଙ୍କୁ ତାଙ୍କୁ ପଚାରିବାକୁ ପଡିବ ଯେ ଅନ୍ତତଃ ପକ୍ଷେ ଏହା କେଉଁ ସମୟରେ ଶେଷ ହୋଇପାରିବ। ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଏପରି ପ୍ରକ୍ରିୟା ଗ୍ରହଣ କରାଯାଇଛି ।
ଜାନୁଆରୀ ସୁଦ୍ଧା ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଅନ୍ୟ ପକ୍ଷକୁ ନୋଟିସ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ବିଜ୍ଞପ୍ତିର ଉତ୍ତର ମଗାଯାଇଛି ।