ନଭେମ୍ବର ମାସର ‘ଏନ୍ଡିଏ’ ପ୍ରବେଶିକା ପରୀକ୍ଷା ନିମନ୍ତେ ଝିଅମାନଙ୍କୁ ଅନୁମତି ଦେବା ପାଇଁ ସରକାରଙ୍କୁ ଆଦେଶ ଦେଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଲିଙ୍ଗଗତ ସାମ୍ୟତା ପ୍ରସଙ୍ଗ ବାତିଲ କରି ହେବନାହିଁ କହି ୨୦୨୧ ନଭେମ୍ବର ମାସରେ ହେବାକୁ ଥିବା ‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ (ଏନ୍ଡିଏ) ପ୍ରବେଶ ପରୀକ୍ଷା ଲାଗି ସମସ୍ତ ମହିଳା ପ୍ରାର୍ଥୀଙ୍କୁ ଅନୁମତି ଦେବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି।
ଆଡ୍ଭୋକେଟ୍ କୁଶ କାର୍ଲା ଦାଏର କରିଥିବା ପିଟିସନ୍ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏଭଳି ଆଦେଶ ଦେଇଛନ୍ତି। କେବଳ ଲିଙ୍ଗଗତ ବିଭେଦକୁ ଭିତ୍ତି କରି ଯୋଗ୍ୟା ଏବଂ ଆକାଙ୍କ୍ଷୀ ମହିଳା ପ୍ରାର୍ଥୀଙ୍କୁ ‘ଏନ୍ଡିଏ’ରେ ଯୋଗ ଦେବାକୁ ବଞ୍ଚିତ କରାଯାଉଛି ଏବଂ ତାହା ସମାନତା ମୌଳିକ ଅଧିକାର ଉଲ୍ଲଂଘନ ବୋଲି ସେ ଯୁକ୍ତି ଦର୍ଶାଇ ଥିଲେ।
ମହିଳାମାନଙ୍କୁ ଉପରୋକ୍ତ ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯିବା ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ବର୍ଷ ମେ ମାସରେ ପ୍ରକାଶ ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମ୍ କୋର୍ଟଙ୍କୁ ଜଣାଇବାର ଦିନକ ପରେ ଏଭଳି ନିର୍ଦେଶ ମିଳିଛି।
ସୁପ୍ରିମ୍ କୋର୍ଟ କହିଛନ୍ତି, ୨୦୨୧ ନଭେମ୍ବରରେ ହେବାକୁ ଥିବା ପରୀକ୍ଷା ଦେବା ପାଇଁ ମହିଳାମାନଙ୍କୁ ଅବଶ୍ୟ ଅନୁମତି ମଳିବା ଉଚିତ। ବର୍ଷଟିଏ ଘୁଞ୍ଚାଇ ଦିଆଯାଇ ପାରିବ ନାହିଁ। ମେଡିକାଲ୍ ଷ୍ଟାଣ୍ଡାର୍ଡ ପାଇଁ ଅନିର୍ଦ୍ଦିଷ୍ଟ ବିଜ୍ଞପ୍ତି ଜାରି ହେବା ଉଚିତ। ପରେ ନଭେମ୍ବର ପରୀକ୍ଷା ପାଇଁ ‘ୟୁପିଏସ୍ସି’ ସଂଶୋଧିତ ବିଜ୍ଞପ୍ତି ଜାରି କରିବ।
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ନଭେମ୍ବର ୨୧ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଝିଅମାନଙ୍କୁ ଅନୁମତି ନ ଦିଆଯାଉ ବୋଲି ଅନୁରୋଧ କରାଯାଇଛି। ଏ ସଂକ୍ରାନ୍ତରେ ଚିନ୍ତା ଆମେ କରି ଦେଖିଛୁ। ମହିଳାମାନଙ୍କର ଆକାଙ୍କ୍ଷା ଜାଗ୍ରତ ହୋଇ ସାରିଥିବାରୁ ଏଭଳି ପରିସ୍ଥିତିରେ ଅନୁମତି ନ ଦେବା ଆମ ପାଇଁ କଷ୍ଟକର ହୋଇପଡ଼ିବ।

ସେପ୍ଟେମ୍ବର ୮ ତାରିଖ ଦିନ ସରକାର ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ‘ଏନ୍ଡିଏ’ରେ ମହିଳାମାନଙ୍କୁ ସାମିଲ କରାଯିବା ପ୍ରସଙ୍ଗ ସଶସ୍ତ୍ର ବାହିନୀର ବିଚାରାଧୀନ ରହିଛି।
‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ ଜରିଆରେ ମହିଳାମାନଙ୍କୁ ସେନା, ନୌସେନା ଓ ବାୟୁସେନାରେ ସାମିଲ କରିବା ପ୍ରସଙ୍ଗରେ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ଏଥିରେ ଉଲ୍ଲେଖ କରାଯାଇଛି ଯେ, ‘ଏନ୍ଡିଏ’ରେ ପ୍ରବେଶ ନିମନ୍ତେ ବର୍ଷକୁ ଦୁଇ ଥର ପ୍ରବେଶିକା ପରୀକ୍ଷା ହୁଏ। ୨୦୨୨ ମେ ସୁଦ୍ଧା ମହିଳା ପ୍ରାର୍ଥୀମାନଙ୍କୁ ସାମିଲ କରିବା ପାଇଁ ସରକାର ଆବଶ୍ୟକ ପ୍ରକ୍ରିୟାର ବ୍ୟବସ୍ଥା କରୁଛନ୍ତି। ସେତେବେଳେ ‘ୟୁପିଏସ୍ସି’ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରଥମ ବିଜ୍ଞପ୍ତି ପ୍ରକାଶ କରିବ।
ମହିଳା ପ୍ରାର୍ଥୀମାନଙ୍କ ଅବାଧ ସାମିଲ ଏବଂ ତାଲିମ ନିମନ୍ତେ ସମସ୍ତ ଯୋଜନା ଏବଂ ପ୍ରସ୍ତୁତି ପ୍ରତି ସୁନିଶ୍ଚିତ ହେବାକୁ ଧ୍ୟାନ ଦେଇ ସରକାର ଉପରୋକ୍ତ ସମୟ ନିର୍ଦ୍ଧାରଣ କରିଥିବା କଥା ସେଥିରେ ଉଲ୍ଲେଖ ଅଛି। ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ପୁରୁଷ ପ୍ରାର୍ଥୀମାନଙ୍କ ନିମନ୍ତେ ଡାକ୍ତରୀ ମାନକ ରହିଥିବା ବେଳେ ମହିଳାମାନଙ୍କ ପାଇଁ ସେ ପ୍ରକ୍ରିୟା କରାଯାଉଛି। ମହିଳାମାନେ ଏକାଡେମିରେ ଯୋଗ ଦେବା ପୂର୍ବରୁ ସେସବୁ ଧାର୍ଯ୍ୟ ହେବା ଆବଶ୍ୟକ। ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ଏକ ବିଶେଷଜ୍ଞ କମିଟି ତାହା ଧାର୍ଯ୍ୟ କରିବ।