ଅର୍ଣ୍ଣବଙ୍କ ବିରୋଧରେ ସ୍ୱାଧିକାର ଭଂଗ ମାମଲା : ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଝଟ୍‌କା, ଅଦାଲତ ଅବମାନନା ନୋଟିସ୍‌, ଗିରଫଦାରୀ ରୋକିଲେ

ଶିଷ୍ଟାଚାର ରକ୍ଷା କରିବାକୁ ଅର୍ଣ୍ଣବଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ, ଜାମିନ ଆବେଦନ ଶୁଣାଣି ଆଜି, ଜେଲ୍‌ରେ ଅର୍ଣ୍ଣବଙ୍କ ୨ ରାତି

ନୂଆଦିଲ୍ଲୀ : ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଅଦାଲତ ନଯିବା ଲାଗି ସେ ଅର୍ଣ୍ଣବଙ୍କୁ ଧମକାଇଥିବାରୁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବନାହିଁ, ସେ ସମ୍ପର୍କରେ ଅଦାଲତ କୈଫିୟତ ତଲବ କରିଛନ୍ତି। ଏଥି ସହିତ ଅର୍ଣ୍ଣବଙ୍କ ଗିରଫଦାରୀ ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି। ଦେଶର କୌଣସି ନାଗରିକ ଅଦାଲତର ଆଶ୍ରୟ ନେଲେ ତାଙ୍କୁ କୌଣସି କର୍ତ୍ତୃପକ୍ଷ କ’ଣ ଦଣ୍ଡିତ କରିପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏ ଏସ୍‌ ବୋବଡ଼େଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ସିନେ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ବିରୋଧରେ ଅର୍ଣ୍ଣବ କିଛି ଟିପ୍ପଣୀ କରିଥିଲେ। ଏହା ଦ୍ବାରା ସେ ବିଧାନସଭାର ସ୍ବାଧିକାର ଭଙ୍ଗ କରିଥିଲେ ବୋଲି ବିଧାନସଭା ସଚିବ ତାଙ୍କ ନିକଟକୁ ଏକ ନୋଟିସ ଜାରି କରିଥିଲେ। ତେବେ ଅର୍ଣ୍ଣବ ଏହି ମାମଲାରେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିବାକୁ ତାଙ୍କୁ ସଚିବ ଚିଠି ଲେଖି ଧମକାଇଥିଲେ। ପ୍ରଧାନ ବିଚାରପତି ଏଥିରେ କ୍ଷୋଭ ପ୍ରକାଶ କରି ସମ୍ବିଧାନର ଧାରା ୩୨ ଅନୁଯାୟୀ ଅଦାଲତରେ ଆଶ୍ରୟ ନେବା ନାଗରିକର ମୌଳିକ ଅଧିକାର ବୋଲି ଟିପ୍ପଣୀ କରିଛନ୍ତି।

ଶିଷ୍ଟାଚାର ରକ୍ଷା କରିବାକୁ ଅର୍ଣ୍ଣବଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ
ମୁମ୍ବାଇ : ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଶିଷ୍ଟାଚାର ରକ୍ଷା କରନ୍ତୁ ଏବଂ ସେ ଜଣେ ଅଭିଯୁକ୍ତଙ୍କ ଭଳି ବ୍ୟବହାର ଦେଖାନ୍ତୁ। ଅର୍ଣ୍ଣବ ବିଚାର ପ୍ରକ୍ରିୟା‌ରେ ବାଧା ଦେବାପାଇଁ ଚେଷ୍ଟା ନ କରିବା ଉଚିତ୍‌ ବୋଲି ଆଲିବାଗ୍‌ କୋର୍ଟର ମୁଖ୍ୟ ମାଜିଷ୍ଟ୍ରେଟ୍‌ ଅର୍ଣ୍ଣବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଣ୍ଣବଙ୍କୁ ଗତକାଲି ସନ୍ଧ୍ୟାରେ ଆଲିବାଗ୍‌ ମୁଖ୍ୟ ମାଜିଷ୍ଟ୍ରେଟ୍‌ ସୁନୟନା ପିଙ୍ଗାଳେଙ୍କ ନିକଟରେ ହାଜର କରାଯାଇଥିଲା। ଅର୍ଣ୍ଣବ ନଭେମ୍ବର ୧୮ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ବୋଲି ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ। ଅର୍ଣ୍ଣବ ଗତକାଲି ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ତାଙ୍କ ଶରୀରର କ୍ଷତ ଦେଖାଇବାପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ କରୋନା ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଦିଆଯାଇଥିବା ଏକ ପ୍ଲାଷ୍ଟିକ୍‌ ବିଭାଜନକୁ ଅର୍ଣ୍ଣବ ଅତିକ୍ରମ କରିବାକୁ ‌ଚେଷ୍ଟା କରିବା ବେଳେ ମାଜିଷ୍ଟ୍ରେଟ୍‌ ତାଙ୍କୁ ଶିଷ୍ଟାଚାର ରକ୍ଷା କରିବାକୁ ଚେତାଇ ଦେଇଥିଲେ।

ଜାମିନ ଆବେଦନ ଶୁଣାଣି ଆଜି, ଜେଲ୍‌ରେ ଅର୍ଣ୍ଣବଙ୍କ ୨ ରାତି
ମୁମ୍ବାଇ : ବମ୍ବେ ହାଇକୋର୍ଟ ଆଜି ଏକ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରିଛନ୍ତି। କିନ୍ତୁ କୋର୍ଟ କୌଣସି ରାୟ ଶୁଣାଇ ନାହାନ୍ତି। ଆସନ୍ତାକାଲି ମଧ୍ୟାହ୍ନରେ ଅର୍ଣ୍ଣବଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟର ଏକ ସ୍ବତନ୍ତ୍ର ସେସନ୍‌ରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଆଜିକୁ ମିଶାଇ ୨ ରାତି ହେବ ଅର୍ଣ୍ଣବ ଜେଲ୍‌ରେ ରହିଛନ୍ତି।

ସମ୍ବନ୍ଧିତ ଖବର