କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ମୃତ୍ୟୁଦଣ୍ଡର ଅନ୍ୟ ବିକଳ୍ପ କ’ଣ ରହିଛି?

ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡ ମାନେ କେବଳ ଫାଶୀ କାହିଁକି? ଅନ୍ୟସବୁ ଦେଶରେ ମୃତ୍ୟୁଦଣ୍ଡର କ’ଣ ସବୁ ବିକଳ୍ପ ରହିଛି,ସେନେଇ ଅଦାଲତଙ୍କୁ ଅବଗତ କରାଇବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ୍‌ ମିଶ୍ରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ,କେଉଁ ଉପାୟରେ ମୃତ୍ୟୁଦଣ୍ଡ ଦିଆଯିବ ତାହା ସର୍ବୋଚ୍ଚ ଅଦାଲତ ସ୍ତିର କରିପାରିବେ ନାହିଁ। ତେଣୁ ସରକାର ଏନେଇ କୋର୍ଟଙ୍କୁ ଅବଗତ କରାଇବାକୁ ପଡିବ ବୋଲି ଖଣ୍ଡପୀଠର ଅନ୍ୟ ସଦସ୍ୟ ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲକର କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ ଏନେଇ କୋର୍ଟରେ ଉତ୍ତର ରଖିବାକୁ ସମୟ ମାଗିଛନ୍ତି। ସଲିସିଟର ଜେନେରାଲ ଆନନ୍ଦ କହିଥିଲେ ଯେ,ପ୍ରାଣଘାତକଜ ଇଂଜେକସନ କାର୍ଯ୍ୟକାରୀ ହେଉନଥିବାରୁ ଫାଶୀ ହିଁ ସର୍ବୋତ୍କଷ୍ଟ। ଏନେଇ କେନ୍ଦ୍ର ସରକାର ୪ ସପ୍ତାହ ମଧ୍ୟରେ ଉତ୍ତର ଦିଅନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନର ମୃତ୍ୟୁଦଣ୍ଡାଦେଶକୁ ପରିବର୍ତ୍ତନ କରିବା ସହି ସମ୍ବିଧାନର ଧାରା ୨୧(ଜୀବନ ବଞ୍ଚିବାର ଅଧିକାର)କୁ ନେଇ ପ୍ରଶ୍ନ କରି ଲ’ କମିଶନ ଓ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନ୍‌ଜୀବୀ ଋଷି ମାଲହୋତ୍ରା ପିଟିସନ ଦାୟର କରିଥିଲେ। ସେ କହିଥିଲେ ଯେ,ମୃତ୍ୟୁଦଣ୍ଡ ପାଉଥିବା ବ୍ୟକ୍ତିର ମଧ୍ୟ ସମ୍ମାନର ସହ ମରିବାର ଅଧିକାର ରହିଛି।

ପିଟିସନରେ କୁହାଯାିଥିଲା ଯେ,୧୭୮ତମ ଲ’ କମିଶନଙ୍କ ରିପୋର୍ଟ ମୁତାବକ ଅନେକ ଦେଶରେ ଫାଶୀ ବ୍ୟବସ୍ଥାକୁ ଉଚ୍ଛେଦ କରି ବୈଦ୍ୟୁତିକ ହତ୍ୟା,ଗୁଳି ଓ ପ୍ରାଣଘାତକ ଆଦିର ବ୍ୟବହାର କରାଯାଉଛି। ଉଲ୍ଲେଖଯୋଗ୍ୟଯେ,ଫାଶୀ ଖୁଣ୍ଟରେ ଝୁଲୁଥିବା ବ୍ୟକ୍ତକୁ ମୃତ ଘୋଷଣା କରିବାକୁ ପାଖାପାଖି ୪୦ ମିନିଟ ସମୟ ଲାଗିଥାଏ,ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ। କିନ୍ତୁ ଅନ୍ୟ ସବୁ ବିକଳ୍ପରେ ୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହେଉଛି। ଭାରତୀୟ ଦଣ୍ଡବିଧିର ଧାରା ୩୪୫(ଙ) ମୁତାବକ ମୃତ୍ୟୁଦଣ୍ଡ ଅର୍ଥାତ୍‌ ମୃତ୍ୟୁ ନହେବା ଯାଏଁ ଦୋଷୀର ବେକରୁ ଶରୀରକୁ ଝୁଲାଇ ରଖାଯିବ। ଯାହାକି ଏକ ସମ୍ମାନଜନକ ମୃତ୍ୟୁ ନୁହେଁ ବୋଲି ପିଟିସନରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର