ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକାଣ୍ଡର ସିବିଆଇ କିମ୍ବା ଏସ୍ଆଇଟି ତଦନ୍ତ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରି ଦେଇଛନ୍ତି।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୋଲକାତା ହାଇକୋର୍ଟ ଏହି ମାମଲାର ବିଚାର କରିସାରିଛନ୍ତି।
ଜନସ୍ୱାର୍ଥ ମାମଲାର ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସ୍ୱାଧୀନତା ପ୍ରଦାନ କରି ଖଣ୍ଡପୀଠ କହିଛନ୍ତି, କୌଣସି ଦ୍ଵିତୀୟ ଫୋରମ୍ ନ ହେଉ। ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ମନା କରିବାରୁ ଆବେଦନକାରୀ-ଓକିଲ ଅଲଖ ଆଲୋକ ଶ୍ରୀବାସ୍ତବ ଜନସ୍ୱାର୍ଥ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତି ନେଇଥିଲେ।
ପରବର୍ତ୍ତୀ ସମୟରେ ମାମଲା ପ୍ରତ୍ୟାହାର କରି ନିଆ ଯାଇଥିଲା। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ସ୍ଥାନୀୟ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳଥିଲା।
ଅନେକ ମହିଳା ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ଶାଜାହାନ ଶେଖ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡ଼ପ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଦୁର୍ନୀତି ମାମଲାରେ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କୁ ତାଙ୍କ ସହ ସଂପୃକ୍ତ ସମର୍ଥକ ଆକ୍ରମଣ କରିବା ପରେ ସେ ଏବେ ଫେରାର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Capture-32.jpg)