ନୂଆଦିଲ୍ଲୀ: ‘ଆତ୍ମ-ଘୋଷିତ ଆଧ୍ୟାତ୍ମିକ ଗୁରୁ’ମାନଙ୍କ ଦ୍ୱାରା ପରିଚାଳିତ ଆଶ୍ରମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ଆଜି (ବୁଧବାର) ମନା କରି ଦେଇଛନ୍ତି। ‘ଆତ୍ମ-ଘୋଷିତ ଆଧ୍ୟାତ୍ମିକ ଗୁରୁ’ମାନଙ୍କ ଆଶ୍ରମଗୁଡ଼ିକରେ ମହିଳା ଭକ୍ତ ତଥା ଅନ୍ତେବାସୀଙ୍କୁ ବନ୍ଦୀ କରି ରଖା ଯାଉଥିବା ଅଭିଯୋଗ କରି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରି ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ ହୋଇଥିଲା।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆଜି ଏହି ଯାଚିକାର ଶୁଣାଣି କାଳରେ କହିଛନ୍ତି ଯେ କୋର୍ଟ ଏଭଳି ଯାଚିକାର ଶୁଣାଣି କରିପାରିବ ନାହିଁ। କୋର୍ଟଙ୍କ ଏପରି ମନ୍ତବ୍ୟ ପରେ ଆବେଦନକାରୀ ଆଗତ କରିଥିବା ଯାଚିକାକୁ ପ୍ରତ୍ୟାହାର କରି ନେଇଛନ୍ତି। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହଥିଲେ ଏପରି ଯାଚିକା ଶୁଣାଣି ପାଇଁ ତାଲିକା ମଧ୍ୟକୁ କିପରି ଆସିଲା? ଯାଚିକାକୁ ଶୁଣିବା ପରେ ତାଲିକା ପ୍ରସ୍ତୁତ ହୋଇଛି କି ନାହିଁ ଆମେ ଜାଣିନାହୁଁ?
ଆବେଦନକାରୀ ତେଲେଙ୍ଗାନା ନିବାସୀ ଡମ୍ପାଲା ରାମରେଡ୍ଡୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ମେନାକା ଗୁରୁସ୍ୱାମୀ କହଥିଲେ ଯେ ‘ଅଖିଳ ଭାରତୀୟ ଅଖରା ପରିଷଦ’ ଦ୍ୱାରା ‘ନକଲି ବାବା’ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଆବେଦନକାରୀ ରାମରେଡ୍ଡୀ ଏପ୍ରିଲ ମାସରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଏକ ଅଭିଯୋଗ ଆଗତ କରି କହିଥିଲେ ଯେ ତାଙ୍କର ଝିଅ ଦିଲ୍ଲୀର ରୋହିନୀରେ ଥିବା ଏକ ଆଧ୍ୟାତ୍ମିକ ବିଦ୍ୟାଳୟ ଆଶ୍ରମରେ ବନ୍ଦୀ ଅଛି। ଆଉ ଏଇ ଆଧ୍ୟାତ୍ମିକ ବିଦ୍ୟାଳୟ ଆଶ୍ରମର ପ୍ରତିଷ୍ଠାତା ହେଉଛନ୍ତି ‘ଆତ୍ମ-ଘୋଷିତ ଆଧ୍ୟାତ୍ମିକ ଗୁରୁ’ ଭୀରେନ୍ଦ୍ର ଦେବ ଦୀକ୍ଷିତ; ଯିଏକି ୧୯୯୯ରେ ଜନୈକା ନାବାଳିକା ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ଗିରଫ ହେବା ଭୟରେ ୨୦୧୭ରୁ ପଳାତକ ସାଜିଛନ୍ତି।
ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏପରି ନକଲି ଓ ଭଣ୍ଡ ବାବା ବା ଗୁରୁମାନଙ୍କ ବିରୋଧରେ ତ’ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବରଂ ସେମାନଙ୍କୁ ଏପରି ବେଆଇନ ଆଶ୍ରମ ଗଢ଼ିବାକୁ ସମ୍ମତି ଓ ସହଯୋଗ ଦେଉଛନ୍ତି। ତେଣୁ, ଏହିପରି ଆଶ୍ରମର ପ୍ରତିଷ୍ଠା ଏବଂ କାର୍ଯ୍ୟକାରିତାକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ଆବେଦନ କରି ସୁପ୍ରିମ୍ କୋର୍ଟରେ ଏହି ଯାଚିକା ଆଗତ କରା ଯାଇଥିଲା। ଏଥିସହ ଅପରାଧିକ ରେକର୍ଡ ଥିବା ‘ଆତ୍ମ-ଘୋଷିତ ଆଧ୍ୟାତ୍ମିକ ଗୁରୁ’ମାନଙ୍କ ଦ୍ୱାରା ପରିଚାଳିତ ଆଶ୍ରମଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରା ଯାଇଥିଲା। ଆଗତ ଯାଚିକାରେ ହିନ୍ଦୁ ଧାର୍ମିକ ସଂସ୍ଥା ଅଖିଳ ଭାରତୀୟ ଅଖରା ପରିଷଦ ଦ୍ୱାରା ପ୍ରକାଶିତ ୧୭ ଜଣ ନକଲି ‘ଆତ୍ମ-ଘୋଷିତ ଆଧ୍ୟାତ୍ମିକ ଗୁରୁ’ ଓ ସେମାନଙ୍କର ଆଶ୍ରମର ତାଲିକା ପ୍ରଦାନ କରା ଯାଇଥିଲା।