ଓଟିଟିରେ ବନ୍ଦ ହେବନି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ର ଷ୍ଟ୍ରିମିଂ : ସୁପ୍ରିମକୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଝୁଣ୍ଡ’ ଚଳିତ ବର୍ଷ ମାର୍ଚ୍ଚ ୪, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ ପରେ ଫିଲ୍ମର କାହାଣୀକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦ ସତ୍ତ୍ବେ ବି ଫିଲ୍ମଟି ପରେ ଜି୫ରେ ରିଲିଜ୍ ହୋଇଥିଲା। ଓଟିଟିରେ ରିଲିଜ୍ ହେବା ପରେ ଏହା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏବେ ଏଭଳି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ।

ମେ’ ୬ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଓଟିଟିରେ ‘ଝୁଣ୍ଡ’ ମୁକ୍ତିଲାଭ କରିଥିଲା। ଓଟିଟିରେ ଫିଲ୍ମର ଷ୍ଟ୍ରିମିଂ ପରେ ହାଇଦ୍ରାବାଦ ଭିତ୍ତିକ ଚଳଚ୍ଚିତ୍ର ନିର୍ମାତା ନନ୍ଦୀ ଚିନ୍ନି କୁମାର କପିରାଇଟ୍ ଉଲଂଘନ ହୋଇଥିବା ନେଇ ଫିଲ୍ମ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ଆଜି ନନ୍ଦୀଙ୍କ ଆବେଦନ ଉପରେ ଶୁଣାଣି କରି ଝୁଣ୍ଡର ଷ୍ଟ୍ରିମିଂ ଉପରେ ରୋକ୍ ଲଗାଯିବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ, ହିନ୍ଦି ଫିଲ୍ମ ‘ଝୁଣ୍ଡ’ ପାଇଁ କପିରାଇଟ୍ ନିୟମ ଉଲ୍ଲଂଘନ କରିଥିବାରୁ ଫିଲ୍ମ ନିର୍ମାତା ନନ୍ଦୀ ଚିନ୍ନି କୁମାର ବିଗ୍ ବିଙ୍କ ସମେତ, ‘ଝୁଣ୍ଡ’ର ନିର୍ଦ୍ଦେଶକ ଓ ପ୍ରଯୋଜକ ନାଗରାଜ ମଞ୍ଜୁଲେ, ପ୍ରଯୋଜକ କ୍ରିଷ୍ଣା କୁମାର, ଟି-ସିରିଜର ‌ମୁଖ୍ୟ ଭୂଷଣ କୁମାର ଓ ସ୍ଲମ୍ ସକ୍କରର ସଂସ୍ଥାପକ ବିଜୟ ବରସେଙ୍କୁ ୨୦୧୯ରେ ନୋଟିସ ପଠାଇଥିଲେ। ଏତେ ଜଣଙ୍କୁ ନୋଟିସ ପଠାଇଥିଲେ ମଧ୍ୟ ତାଙ୍କୁ କେବଳ ଟି-ସିରିଜ ପକ୍ଷରୁ ଜବାବ ମିଳିଥିଲା। ଯାହାକୁ ଅସ୍ପଷ୍ଟ ବୋଲି କହିଥିଲେ ନନ୍ଦୀ ଚିନ୍ନି କୁମାର।

ନନ୍ଦୀ ଚିନ୍ନି କୁମାରଙ୍କ ଅଭିଯୋଗ ମୁତାବକ, ଝୁଣ୍ଡର ନିର୍ମାତା ତାଙ୍କୁ ଧୋକା ଦେବା ସହ ତାଙ୍କୁ ଡ଼ରାଇଥିଲେ, ଯାହା ପାଇଁ ତାଙ୍କୁ ଅଦାଲତର ସାହାରା ନେବାକୁ ପଡ଼ିଥିଲା। ଫିଲ୍ମକୁ ଥିଏଟର ବା ଅନ୍ୟ କୌଣସି ମାଧ୍ୟମରେ ରିଲିଜ୍ କରିବାକୁ ରୋକିବା ପାଇଁ ସେ ଏଭଳି କରିିଥିବା କହିଛନ୍ତି। ତାଙ୍କ ମୁତାବକ, ୨୦୧୭ରେ ସେ ସ୍ଲମ୍ ସକ୍କର ଖେଳାଳି ଅଖିଳେଶ ପୌଲଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି କରିବା ପାଇଁ ଅଧିକାର ହାସଲ କରିଥିଲେ। ଯାହା ପରେ ସେ ‘ସ୍ଲମ୍ ସକ୍କର’ ନାମକ ବହୁଭାଷୀ ଫିଲ୍ମ ଲେଖିବା ଓ ନିର୍ଦ୍ଦେଶନାର କାମ ଆରମ୍ଭ କରିଥିଲେ।  ପରେ ଜୁନ୍ ୧୧, ୨୦୧୮ରେ ‌ସେ କାହାଣୀ ଓ ସ୍କ୍ରିପ୍ଟର ପଞ୍ଜିକରଣ ତେଲେଙ୍ଗାନା ସିନେମା ରାଇଟର ଆସୋସିଏସନରେ କରାଇଥିଲେ। କିନ୍ତୁ ୨୦୧୯ରେ କୌଣସି ଅଧିକାର ହାସଲ ନ କରି ବଲିଉଡରେ ଅଖିଳେଶ ପୌଲଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେଉଥିବା ଜାଣି ସେ ଏହାର ବିରୋଧ କରିଥିଲେ। ହେଲେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବା ସହ ଓଟିଟିରେ ମଧ୍ୟ ରିଲିଜ୍ ହେବାରୁ ଏହାକୁ ବନ୍ଦ କରିବା ପାଇଁ ଆବେଦନ କରିଥଲେ ନନ୍ଦୀ।

ସମ୍ବନ୍ଧିତ ଖବର