ନିର୍ଭୟା ମାମଲା: ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କର କ୍ୟୁରେଟିଭ୍‌ ପିଟିସନ୍‌କୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ମୃତ୍ୟୁଦଣ୍ଡାଦେଶକୁ ଚାଲେଞ୍ଜ୍‌ କରି ସେ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଏର କରିଥିଲେ।

ପିଟିସନ୍‌ରେ ପବନ ଦାବି କରିଥିଲେ ଯେ ୨୦୧୨ରେ ସଙ୍ଗଠିତ ଏହି ଅପରାଧ ସମୟରେ ସେ କିଶୋର ଅବସ୍ଥାରେ ଥିଲେ। ନିମ୍ନ ଅଦାଲତ ଏହାକୁ ଏଡ଼ାଇ ଦେଇଛି। ଏହାଛଡ଼ା ସେ ଯୁକ୍ତି ବାଢ଼ିଥିଲେ ଯେ ଅପରାଧ ସମୟରେ ସେ ନାବାଳକ ଥିବାରୁ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ।

Image Source: Hindustan Times

କିନ୍ତୁ, ବିଚାରପତି ଏନ୍‌ଭି ରମଣଙ୍କ ନେତୃତ୍ୱରେ ଛଅଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଗୁପ୍ତାଙ୍କର ଆବେଦନ ଓ ଆବେଦନର ମୌଖିକ ଶୁଣାଣି ନିମନ୍ତେ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି।

image source: deccan herald

ଏହାପୂର୍ବରୁ ମଧ୍ୟ ପବନ ସୁପ୍ରିମ୍‌ କୋର୍ଟରେ ଏହି ଏକା ପ୍ରସଙ୍ଗ ଉପରେ ରିଭିଉ ପିଟିସନ୍‌ ଦାଏର କରିଥିଲେ। ତାହା ମଧ୍ୟ ଅଦାଲତଙ୍କ ଦ୍ୱାରା ଖାରଜ ହୋଇ ଯାଇଥିଲା।

ନିର୍ଭୟା ମାମଲାର ଚାରି ଦୋଷୀ ୨୫ ବର୍ଷିୟ ପବନ ଗୁପ୍ତା, ୨୬ ବର୍ଷିୟ ବିନୟ ଶର୍ମା, ୩୨ ବର୍ଷିୟ ମୁକେଶ କୁମାର ଏବଂ ୩୧ ବର୍ଷିୟ ଅକ୍ଷୟ କୁମାର ସିଂହଙ୍କୁ ଶୁକ୍ରବାର ଭୋର୍‌ ୫: ୩୦ରେ ଫାଶୀ ଦିଆଯିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର