ମାଓ ସଂପୃକ୍ତି ସଂଦେହରେ ଗିରଫ ଘଟଣା : ଗିରଫଦାରି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଗୃହବନ୍ଦୀ ରହିବେ
ନୂଆଦିଲ୍ଲୀ : ମାଓବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ସେମାନଙ୍କୁ ଜେଲ ପଠାଇବା ବଦଳରେ ଗୃହବନ୍ଦୀ କରିରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ନିଜ ନିଜ ଘରେ ଗୃହବନ୍ଦୀ କରି ରଖାଯିବ । ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ପୁନେ ପୁଲିସ ଭୀମା କୋରେଗାଁ ହିଂସାକାଣ୍ଡ ମାମଲାରେ ମାଓବାଦୀଙ୍କ ସଂପୃକ୍ତି ଅଭିଯୋଗରେ ଦେଶର ବିଭିନ୍ନ ସହର ଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ,ରାଞ୍ଚି ଓ ଗୋଆରେ ଥିବା କେତେକ ଲେଖକ, ଓକିଲ ଓ ସାମାଜିକ କର୍ମୀଙ୍କ ବାସଭବନରେ ଚଢାଉ କରିଥିଲା । ଏହା ସହିତ ପୁଲିସ ମାଓ ସଂପୃକ୍ତି ଅଭିଯୋଗରେ ମାଓ ସମର୍ଥକ ତଥା ବିପ୍ଲବୀ ଲେଖକ ବର୍ବରା ରାଓ, ଓକିଲ ଓ ସାମାଜିକ କର୍ମୀ ସୁଧା ଭରଦ୍ୱାଜ,ଅରୁନ ଫେରେରା, ଗୌତମ ନବଲଖା ଓ ଭେରନ ଗଲଜାଲଭିସଙ୍କୁ ଗିରଫ କରିଥିଲା । ଯେଉଁ ମାନଙ୍କ ଘରେ ଚଢାଉ ହୋଇଛି ସେମାନେ ହେଲେ ସମାଜସେବୀ ବା ସାମ୍ବାଦିକ ଗୌତମ ନଲଖା, ବର୍ନନ ଗୋନଜାଲଭିସ, ଅରୁନ ଫେରେରା । ତେବେ ଏମାନଙ୍କ ଗିରଫ ପ୍ରତିବାଦରେ ବିଶିଷ୍ଟ ଐତିହାସିକ ରୋମିଲା ଥାପାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ ।
ପୁଲିସ ଦାବି କରିଛି ଯେ ଉକ୍ତ ହିଂସାକାଣ୍ଡ ଘଟିବାର ଦିନକ ପୂର୍ବରୁ ପୁନେରେ ଏଲଗାର ପରିଷଦ ନାମକ ଏକ ଜନସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ହିଁ ଉପସ୍ଥିତ ଥିବା ବୁଦ୍ଧିଜୀବିମାନେ ହିଂସା ପାଇଁ ଉତ୍ତେଜନାସୃଷ୍ଟିକାରୀ ଭାଷଣ ଦେଇଥିଲେ ।