ଗୁରୁଗ୍ରାମ: ୨୦୧୭ ମସିହାରେ ଗୁରୁଗ୍ରାମର ଏକ ଘରୋଇ ସ୍କୁଲ୍ରେ ଜଣେ ୭ ବର୍ଷିୟ ଛାତ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଥିବା କିଶୋର ଛାତ୍ରର ବାପା ତାଙ୍କ ପାଇଁ ଜାମିନ ନିମନ୍ତେ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଶୁକ୍ରବାର ଦିନ ରଦ୍ଦ କରି ଦେଇଛନ୍ତି। ଦୋଷୀ ସାବ୍ୟସ୍ତଙ୍କ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ନିମନ୍ତେ ଜୁନ୍ ୬ ତାରିଖ ଦିନ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନେଇଥିବା ନିଷ୍ପତ୍ତି ଠିକ୍ ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ଦୋଷୀ ତରଫରୁ କୁହାଯାଇଛି କି, ଚାର୍ଜସିଟ୍ ଫାଇଲ୍ କରିବାର ସମୟ ସୀମା ୬୦ ଦିନ। କିନ୍ତୁ ତାହା ପାଳନ କରାଯାଇ ନ ଥିବାରୁ ଦୋଷୀକୁ ଜାମିନ ମଞ୍ଜୁର କରାଯିବା କଥା। କିନ୍ତୁ, ଶୀର୍ଷ ଅଦାଲତ କହିଛନ୍ତି କି, ଏହା ଏକ ନରହତ୍ୟା ମାମଲା ହୋଇଥିବାରୁ ଯାବଜ୍ଜୀବନ କାରାଦଣ୍ଡାଦେଶ ହୋଇ ପାରେ। ତେଣୁ ଚାର୍ଜସିଟ୍ ୯୦ ଦିନ ମଧ୍ୟରେ ଦାଖଲ କରାଯାଇ ପାରେ।
୨୦୧୭ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ରହସ୍ୟମୟ ପରିସ୍ଥିତିରେ ଘରୋଇ ସ୍କୁଲର ଶୌଚାଳୟ ମଧ୍ୟରେ ମୃତାବସ୍ଥାରେ ଦେଖିବାକୁ ମଳିଥିଲା। ତା’ର ଗଳା କଟା ଯାଇଥିଲା। ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ପ୍ରଥମେ ସ୍କୁଲ୍ ବସ୍ କଣ୍ଡକ୍ଟର୍ ଅଶୋକ କୁମାରଙ୍କୁ ଗିରଫ କରିଥିଲା। କୁମାର ଦୋଷ ସ୍ୱୀକାର କରିଥିଲେ ମଧ୍ୟ ତାଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ଦାବି କଲେ କି ଏହା କପୋଳକଳ୍ପିତ। ପରେ ସିବିଆଇ ତଦନ୍ତରୁ ଅସଲ ଖୁଣୀ ସେହି ସ୍କୁଲ୍ର ୧୬ ବର୍ଷିୟ ଛାତ୍ର ବୋଲି ଜଣାପଡ଼ିଥିବା ପରେ ତାଙ୍କୁ ଗିରଫ କରାଯାଇଥିଲା।