କଠୋର ହେଲେ ପ୍ରଧାନ ବିଚାରପତି : ତୁମ ପାଇଁ ଜେଲ୍‌ ହିଁ ସୁରକ୍ଷିତ ସ୍ଥାନ

ଜାମିନ ଆବେଦନ ଖାରଜ, ବନ୍ଧା ହେବା ବାଟ ଫିଟିଲା

ନୂଆଦିଲ୍ଲୀ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ବିରୋଧରେ ଅପମାନସୂଚକ ମନ୍ତବ୍ୟ ଅତ୍ୟନ୍ତ ମହଙ୍ଗା ପଡିଛି। ଓଡ଼ିଶାବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅଭିଜିତଙ୍କ ବିରୋଧରେ ଅତ୍ୟନ୍ତ କଡ଼ା ଟିପ୍ପଣୀ ଦେଇଛନ୍ତି। ସିଧା ସିଧା କହିଛନ୍ତି, ଅଭିଜିତ ଆୟାର ମିତ୍ର ଜାମିନ୍‌ ପାଇଁ ଆଦୌ ହକ୍‌ଦାର ନୁହନ୍ତି। ସେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି ଓ ଉସୁକାଇଛନ୍ତି। ଜାମିନ ପାଇଁ ଏହି ମାମଲା ଉପଯୁକ୍ତ ନୁେହଁ। କାହିଁକି ଜାମିନ ଦିଆଯିବ?

କେବଳ ସେତିିକ ନୁେହଁ, ଅଭିଜିତ୍‌ଙ୍କ ଜୀବନ ପ୍ରତି ବିପଦ ଥିବା କହି ତାଙ୍କ ଓକିଲ େକାର୍ଟଙ୍କୁ ସୁରକ୍ଷା ମାଗିଥିଲେ। ପ୍ରଧାନ ବିଚାରପତି ରଂଜନ ଗୋଗଇ ଏହାକୁ ଏଡାଇଯିବା ସହିତ ଶାଣିତ ସ୍ୱରରେ କହିଥିଲେ, ବେଲ୍ ନୁହେଁ ବରଂ ତାଙ୍କ ପାଇଁ ଜେଲ୍ ହିଁ ସୁରକ୍ଷିତ ସ୍ଥାନ।

ସର୍ବୋଚ୍ଚ ଅଦାଲତଙ୍କ ଏଭଳି କଠୋର ଆଭିମୁଖ୍ୟ ପରେ ଅଭିଜତ ଅଡୁଆରେ ପଡିଯାଇଛନ୍ତି। ଆସନ୍ତାକାଲି ସେ ପୁରୀ ଆସି ପୁଲିସ ନିକଟରେ ହାଜର ହେବାକୁ ଏକ ପ୍ରକାର ବାଧ୍ୟ ବୋଲି କୁହାଯାଉଛି। ଏପରିକି ପୁଲିସ ତାଙ୍କୁ ଗିରଫ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ।

ଓଡ଼ିଶା ତଥା କୋଣାର୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତଙ୍କ ଜାମିନ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ସଂଜୟ କିଶନ କୌଲ ଓ ବିଚାରପତି କେ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ଅଭିଜିତଙ୍କ ଓକିଲ ମନଜିତ୍‌ କିର୍‌ପାଲ ଅତ୍ୟନ୍ତ ଜରୁରୀ ମାମଲା ଅନ୍ତର୍ଗତ ଏହି ମାମଲାର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ତେବେ କୋର୍ଟ ଅପରାହ୍ନ ୨ଟାରେ ଏହି ମାମଲାକୁ ଶୁଣିଥିେଲ। ଖଣ୍ଡପୀଠ ଅଭିଜିତଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିବା ସହିତ ତାଙ୍କ ଓକିଲଙ୍କର କୌଣସି ପ୍ରକାର ଯୁକ୍ତିକୁ ଶୁଣି ନ ଥିଲେ।

ଉଲ୍ଲେଖଯୋଗ୍ୟ ଓଡ଼ିଶାର ଐତିହ୍ୟ ସ୍ଥଳ କୋଣାର୍କ ଓ ଶ୍ରୀମନ୍ଦିର ସମ୍ପର୍କ‌ରେ ଅଭିଜିତ ଆୟାର ଅରୁଚିକର ମନ୍ତବ୍ୟ ଦେଇଥିଲେ। କୋଣାର୍କ ଥାନାରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଭିତ୍ତି କରି ଦିଲ୍ଲୀ ପୁଲିସ ସହାୟତାରେ ଓଡ଼ିଶା ପୁଲିସ ଗତ ମାସ ୨୭ରେ ଅଭିଜିତ୍‌ଙ୍କୁ ଗିରଫ କରିଥିଲା। ଗିରଫ ହେବାପରେ ୨୮ ତାରିଖରେ କୋଣାର୍କ ଥାନାରେ ତଦନ୍ତ ପାଇଁ ନିର୍ଦ୍ଦେଶ ହେବା ସହ ସାକେତ୍‌ କୋର୍ଟର ଚିଫ୍‌ ମେଟ୍ରୋପଲିଟାନ୍‌ ମାଜି‌ଷ୍ଟ୍ରେଟ୍‌ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାପରେ ଅଭିଜିତ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଜାମିନ ସମ୍ପର୍କିତ ସାକେତ୍‌ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ଜାମିନ ମିଆଦ ଅକ୍ଟୋବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ନିର୍ଦ୍ଧା‌ରିତ ସମୟରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ଏବଂ ତାଙ୍କୁ ସୁରକ୍ଷା ଦରକାର ପଡ଼ିଲେ ପୁଲିସ ଆଇଜି ତାଙ୍କୁ ଏହା ପ୍ରଦାନ କରିବେ ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର