ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଲ୍ୟୁଟେନ୍ସ ଦିଲ୍ଲୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ଏକ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧିନରେ ଆସୁଥିବା ଏକ ପ୍ଲଟର କିସମ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଏକ ମାମଲା  ସୁପ୍ରିମକୋର୍ଟରେ ରୁଜ୍ଜୁ ହୋଇଥିଲା । ଏହି ପ୍ଲଟରେ ଉପରାଷ୍ଟ୍ରପତିଙ୍କ ବାସଭବନ ନିର୍ମାଣ ହେବ ।

ମାମଲାର ଶୁଣାଣି କରି ଜଷ୍ଟିସ ଏଏମ ଖାନଓ୍ବିଲକରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଜମି କିସମ ପରିବର୍ତ୍ତନ ସପକ୍ଷରେ ସରକାରୀ ପକ୍ଷଙ୍କ ଦ୍ବାରା ସନ୍ତୋଷଜନକ ଜବାବ ରଖାଯାଇଛି । ଏଣୁ ମାମଲାକୁ ଆଉ ଆଗେଇବାର କୌଣସି କାରଣ ନାହିଁ ।

୨୦୧୯ରେ ଘୋଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧିନରେ ଏକ ତ୍ରିକୋଣୀୟ ସଂସଦ ଭବନ ନିର୍ମାଣର ବ୍ୟବସ୍ଥା ରହିଛି । ଏଥିରେ ୮୦୦ରୁ ୧୨ ଶହ ସାଂସଦ ବସିବାର ବ୍ୟବସ୍ଥା ରହିଛି । ୨୦୨୨ ଅଗଷ୍ଟରେ ଭାରତ ନିଜର ସ୍ବାଧୀନତାରେ ୭୫ ତମ ବର୍ଷ ପାଳନ କରିବା ସମୟରେ ଏହାର ଉଦଘାଟନ ହେବାର ଯୋଜନା ରହିଛି । ଏହି ପ୍ରକଳ୍ପର ଆଉ ଏକ ପ୍ରମୁଖ ଅଂଶ କେନ୍ଦ୍ରୀୟ ସଚିବାଳୟ ଭବନର ନିର୍ମାଣ ୨୦୨୪ ସୁଦ୍ଧା ଶେଷ ହେବ । ସମୁଦାୟ ପ୍ରକଳ୍ପଟି ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ପ୍ରାୟ  ୩ କିଲୋମିଟର ଦୀର୍ଘ ରହିବ ।

ସମ୍ବନ୍ଧିତ ଖବର