ମହାରାଷ୍ଟ୍ର ବିଜେପି ବିଧାୟକଙ୍କ ନିଲମ୍ବନ ମାମଲା; ଆଦେଶ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପ୍ରିଜାଇଡିଂ ଅଫିସରଙ୍କ ସହ ଅସଦାଚରଣ ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭାରୁ ଏକ ବର୍ଷ ପାଇଁ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ୧୨ ଜଣ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ବୁଧବାର ଆଦେଶ ସଂରକ୍ଷିତ ରଖିଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ପକ୍ଷମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କର ଲିଖିତ ଉତ୍ତର ଦାଖଲ କରିବାକୁ କହିଥିଲେ।

ପ୍ରାରମ୍ଭରେ, ବରିଷ୍ଠ ଓକିଲ ମହେଶ ଜେଠମାଲାନୀ, ଜଣେ ବିଧାୟକଙ୍କ ପାଇଁ ହାଜର ହୋଇ କହିଥିଲେ ଯେ ଦୀର୍ଘ ସମୟ ଧରି ନିଲମ୍ବନ ବହିଷ୍କାର ଅପେକ୍ଷା ଖରାପ। କାରଣ ସମ୍ବିଧାନର ଅଧିକାର ଏହାଦ୍ୱାରା ପ୍ରଭାବିତ ହୋଇଛି।
ଅନ୍ୟ ବିଧାୟକଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଏକ ବର୍ଷ ନିଲମ୍ବନ ପାଇଁ ନିଷ୍ପତ୍ତି ଅତ୍ୟନ୍ତ ଅଯୌକ୍ତିକ।

ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଦିନ କହିଥିଲେ ଯେ ବିଧାନସଭାରୁ ଏକ ବର୍ଷ ପାଇଁ ନିଲମ୍ବନକୁ କିଛି ଉଦ୍ଦେଶ୍ୟ ସହିତ ଯୋଡିବା ଉଚିତ ଏବଂ ସଦସ୍ୟଙ୍କୁ ପରବର୍ତ୍ତୀ ଅଧିବେଶନରେ ଯୋଗଦେବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ଏକ ‘ଅତ୍ୟଧିକ କ୍ଷମତା’ ହେବାର ଏକ କାରଣ ରହିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ୧୨ଜଣ ବିଜେପି ବିଧାୟକ ସେମାନଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରିବା ପାଇଁ ବିଧାନସଭା ଦ୍ୱାରା ପାରିତ ହୋଇଥିବା ସଂକଳ୍ପକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଏହି ଆବେଦନ କରିଛନ୍ତି।

ବାଚସ୍ପତିଙ୍କ ଚାମ୍ବରରେ ପ୍ରିଜାଇଡିଂ ଅଫିସର ଭାସ୍କର ଯାଦବଙ୍କ ସହ ‘ଅସଦାଚରଣ’ କରିଥିବା ନେଇ ରାଜ୍ୟ ସରକାର ଅଭିଯୋଗ କରିବା ପରେ ସେମାନଙ୍କୁ ଗତ ବର୍ଷ ଜୁଲାଇ ୫ରେ ବିଧାନସଭାରୁ ନିଲମ୍ବିତ କରା ଯାଇଥିଲା।
ନିଲମ୍ବିତ ହୋଇଥିବା ୧୨ ଜଣ ବିଜେପି ବିଧାୟକ ହେଉଛନ୍ତି ସଞ୍ଜୟ କୁଟେ, ଆଶିଷ ଶେଲାର, ଅଭିମନ୍ୟୁ ପାୱାର, ଗିରିଶ ମହାଜନ, ଅତୁଲ ଭଟଖାଲକର, ପରଗ ଆଲାଭାନୀ, ହରିଶ ପିମ୍ପାଲେ, ଯୋଗେଶ ସାଗର, ଜୟ କୁମାର ରାୱତ, ନାରାୟଣ କୁଚେ, ରାମ ସତପୁଟେ ଏବଂ ବଣ୍ଟି ଭାଙ୍ଗଡିଆ। ଏହି ବିଧାୟକମାନଙ୍କୁ ନିଲମ୍ବିତ କରିବା ପ୍ରସ୍ତାବ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୀଲ ପ୍ରାରବଙ୍କ ଦ୍ୱାରା ଆଗତ କରାଯାଇଥିଲା ଏବଂ ଏକ ବାଚନିକ ଭୋଟ୍‌ ଦ୍ୱାରା ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର