ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ବିରୋଧରେ ଯେଉଁ ସଙ୍ଗୀନ୍‌ ତଥ୍ୟ ରହିଛି, ତା’ ଉପରେ ଆମେ ଆଖି ବନ୍ଦ କରି ବସି ପାରିବୁ ନାହିଁ: ସୁପ୍ରିମ୍‌ କୋର୍ଟ

ସିବିଆଇ ‘ଷ୍ଟାଟସ୍‌ ରିପୋର୍ଟ’ ଦାଖଲ କଲା

ନୂଆଦିଲ୍ଲୀ: ‘ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ସଂପୃକ୍ତି ନେଇ ଯେଉଁ ସଙ୍ଗୀନ୍‌ ପ୍ରମାଣ ରହିଛି, ତାହା ଉପରେ ଆମେ ଆଖି ବନ୍ଦ କରି ଚୁପ୍‌ ହୋଇ ବସି ପାରିବୁ ନାହିଁ’, ବୋଲି ଆଜି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ସଂପର୍କରେ ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ମୁଦା ଲଫାପା ଭିତରେ ଯେଉଁ ‘ଷ୍ଟାଟସ୍‌ ରିପୋର୍ଟ’ ଦାଖଲ କରିଛି, ତାକୁ ଅନୁଧ୍ୟାନ କଲା ପରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଏହି କଥା କହିବା ସହ ସିବିଆଇର ‘ଷ୍ଟାଟସ୍‌ ରିପୋର୍ଟ’ ଉପରେ ନିଜର ଉତ୍ତର ଆସନ୍ତା ୧୦ ଦିନ ମଧ୍ୟରେ କୋର୍ଟଙ୍କ ନିକଟରେ ଦାଖଲ କରିବାକୁ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଅଧିକାରୀମାନେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପରେ କୋର୍ଟରେ ଏହି ‘ଷ୍ଟାଟସ୍‌ ରିପୋର୍ଟ’ ଦାଖଲ କରିଥିଲେ।

Photo courtesy: India.Com

ଆଜି, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜିବ୍‌ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ସିବିଆଇର ‘ଷ୍ଟାଟସ୍‌ ରିପୋର୍ଟ’କୁ ଅନୁଧ୍ୟାନ କଲାପରେ କହିଛନ୍ତି ଯେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ସଂପୃକ୍ତି ନେଇ ସଂଗୀନ୍‌ ପ୍ରମାଣ ରହିଛି। ଘଟଣାର ଗୁରୁତ୍ୱ ଓ ଘଟଣାରେ ସଂପୃକ୍ତି ନେଇ ଯେଉଁ ପ୍ରମାଣ ଆମ ନିକଟରେ ପହଞ୍ଚିଛି ତାହା ଉପରେ ଆମେ ଆଖି ବନ୍ଦ କରି ବସି ପାରିବୁ ନାହିଁ। ତେଣୁ, ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବା ପୂର୍ବରୁ ସିବିଆଇର ‘ଷ୍ଟାଟସ୍‌ ରିପୋର୍ଟ’ ଉପରେ ନିଜର ଉତ୍ତର ଆସନ୍ତା ୧୦ ଦିନ ମଧ୍ୟରେ କୋର୍ଟଙ୍କ ନିକଟରେ ଦାଖଲ କରିବାକୁ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏଥିସହ ଆଜିର ଶୁଣାଣି କାଳରେ ସିବିଆଇ ପକ୍ଷରୁ ପଶ୍ଚିମବଙ୍ଗର ପୁଲିସ୍‌ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଯେଉଁ କୋର୍ଟ ଅବମାନନା ମାମଲା ଆଗତ ହୋଇଛି ତାକୁ ଖାରଜ କରିଦେବା ପାଇଁ ଆଗତ ଅନ୍ୟ ଏକ ଯାଚିକାକୁ ମଧ୍ୟ ଖାରଜ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର