ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ରେମଡେସିଭର୍ ଏବଂ ଫାବିପାରିଭିର ଔଷଧର ବ୍ୟବହାର ଅନୁମୋଦିତ ଏବଂ ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଆଜି ସ୍ପଷ୍ଟ କରି ଦେଇଛନ୍ତି।
ଆଜି (ବୁଧବାର) ସୁପ୍ରିମ କୋର୍ଟ କହିଛନ୍ତି ଯେ ରେମଡେସିଭର୍ ଏବଂ ଫାବିପାରିଭିରକୁ କୋଭିହ୍-୧୯ର ଚିକିତ୍ସା ପାଇଁ ଜୀବନରକ୍ଷାକାରୀ ଔଷଧ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରି ସାରିଛନ୍ତି। ଏହି ଔଷଧ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଛି। ତେଣୁ, ଏହାକୁ ନେଇ ସାଧାରଣରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଅନୁଚିତ।
ଉଲ୍ଲେଖଯୋଗ୍ୟ, ରେମଡେସିଭର୍ ଏବଂ ଫାଭିପିରାଭିର ହେଉଛି ଆଣ୍ଟିଭାଇରାଲ୍ ଔଷଧ ଏବଂ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧର କାର୍ଯ୍ୟକାରିତାକୁ ନେଇ ଡାକ୍ତରୀ ବିଶେଷଜ୍ଞଙ୍କ ମଧ୍ୟରେ ଦ୍ୱିମତ ରହିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦୁଇ ଔଷଧର ଉତ୍ପାଦନ ଓ ବିକ୍ରୟକୁ ମଧ୍ୟ ଅନୁମୋଦନ ମିଳି ନଥିବା ବେଳେ କେତେକ ଔଷଧ ଉତ୍ପାଦନକାରୀ କମ୍ପାନି ଏହାକୁ ବିକ୍ରୟ କରୁଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ମାମଲା ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟନ୍ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଡ୍ରଗ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିୟମ, ୨୦୧୮ ଅନୁଯାୟୀ କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧର ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି ବୋଲି କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ରେମଡେସିଭର୍ ଏବଂ ଫାବିପାରିଭିର ପାଇଁ ଭାରତ ସରକାରଙ୍କ ଅନୁମୋଦନ ରହିଛି ଏହାକୁ ନେଇ କୌଣସି ସନ୍ଦେହ ରହିବା ଉଚିତ ନୁହେଁ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେସିଭର୍ ଏବଂ ଫାବିପାରିଭିରର ବ୍ୟବହାର ଅନୁମୋଦିତ: ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2020/09/A1-2.jpg)