‘ଲଭରାତ୍ରି’ ବିରୋଧରେ ଜବରଦସ୍ତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ସଲମାନ୍‌ ଖାନ୍‌ଙ୍କ ପ୍ରଯୋଜିତ ନୂଆ ସିନେମା ‘ଲଭରାତ୍ରି’କୁ ନେଇ ସୁପ୍ରିମ୍‌ କୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି। ତାହା ହେଉଛି ଯେ ଏହି ଫିଲ୍ମର ନିର୍ମାତା ସଲମାନ ଖାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ ବିରୋଧରେ ଦେଶର କୌଣସି ଭାଗରେ ଜୋରଜବରଦସ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ।
ସର୍ବୋଚ୍ଚ ନ୍ୟାୟାଳାୟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଅକ୍ଟୋବର ୫ ତାରିଖରେ ‘ଲଭରାତ୍ରି’ ରିଲିଜ୍‌ ହେବ। ଏହାକୁ ସିବିଏଫ୍‌ସି (କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ)ପକ୍ଷରୁ ସେନ୍‌ସର ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ଏହାପରେ ମଧ୍ୟ ବିହାରରେ ଏହି ସିନେମା ବିରୋଧରେ ଏତାଲା ଦିଆଯାଇଛି ଓ ଗୁଜୁରାଟର ବଡୋଦରାରେ ଏକ ଅପରାଧିକ ଅଭିଯୋଗ ମଧ୍ୟ କରାଯାଇଛି।
ଖଣ୍ଡପୀଠ ନିର୍ମାତାଙ୍କ ଯାଚିକାକୁ ଧ୍ୟାନ ଦେଇ କହିଛନ୍ତି ଯେ, ସମଗ୍ର ଦେଶରେ ଫିଲ୍ମର ନାମ ସଂପର୍କରେ ବା ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ।


ଏହି ସିନେମାର ଟାଇଟଲ୍‌ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା। ‘ଲଭରାତ୍ରୀ’ରେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୂଷ ଶର୍ମା ଓ ବାରିନା ହୁସେନ୍‌ ଲିଡ ରୋଲରେ ଅଛନ୍ତି।

ସମ୍ବନ୍ଧିତ ଖବର