ସୁପ୍ରିମକୋର୍ଟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଓ ଥଇଥାନ ମାମଲା, ଓଡ଼ିଶା ସମେତ ୭ ରାଜ୍ୟକୁ ୧୦ ଦିନ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ  

ନୂଆଦିଲ୍ଲୀ : ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଓ ଥଇଥାନ ସଂକ୍ରାନ୍ତରେ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଓଡ଼ିଶା ସମେତ ୭ଟି ରାଜ୍ୟକୁ ୧୦ ଦିନ ଭିତରେ ଜବାବ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି । ପୂର୍ବରୁ ଏହି ମାମଲାରେ  କୋର୍ଟଙ୍କ ନିର୍ଦ୍ଦେଶାବଳୀର କେତେ ଅନୁପାଳନ ହୋଇଛି ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା, ସମେତ ଜାତୀୟ ରାଜଧାନୀ ଦିଲ୍ଲୀ ଉତ୍ତରପ୍ରଦେଶ, ହରିଆଣା, ମହାରାଷ୍ଟ୍ର ବିହାର ଓ ଗୁଜରାଟ୍‌କୁ ସୁପ୍ରିମକୋର୍ଟ ଜବାବ ଦାଖଲ କରିବାର ଶେଷ ସୁଯୋଗ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟରୂପେ କହିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ ଓ ବିଚାରପତି ଜଷ୍ଟିସ୍ ଏମ୍.ଆର୍. ଶାହାଙ୍କର ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। କରୋନା ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତକାଳୀନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର, ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆଣା ସରକରାଙ୍କୁ ଏନ୍‌ସିଆର୍ ଅଞ୍ଚଳରେ ପ୍ରବାସୀ ଶ୍ରମିକମାନଙ୍କୁ ଆତ୍ମଭାରତ ଯୋଜନା କିମ୍ବା ଅନ୍ୟ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶୁଖିଲା ଖାଦ୍ୟ ଯୋଗାଇବା ସମୟରେ କର୍ତ୍ତୃପକ୍ଷ ପ୍ରବାସୀ ଶ୍ରମିକଙ୍କୁ ପରିଚୟ ପତ୍ର ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ଆଦେଶରେ କହିଛନ୍ତି। ଏନ୍‌ସିଆର ଅଞ୍ଚଳରେ ଫସିରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ତଳରେ ପହଞ୍ଚାଇବା ପାଇଁ  ପରବିହନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିଆଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ରାଜ୍ୟର ଜିଲ୍ଲା ପ୍ରଶାସନ ପୋଲିସ୍ ସହାୟତାରେ ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ରୋଡ୍ କିମ୍ବା ଟ୍ରେନ୍‌ରେ ପଠାଇବାର ବ୍ୟବସ୍ଥା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫସିରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଗୋଷ୍ଠି ରୋଷେଇଶାଳା ସ୍ଥାପନ କରି ଖାଦ୍ୟ ଯୋଗାଇବା ପାଇଁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିଆଣା ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି କରିବା ସମୟରେ ପ୍ରବାସୀ ଶ୍ରମିକମାନଙ୍କର ଦୁର୍ଦ୍ଦଶା ଓ ଥଇଥାନକୁ ନେଇ କୋର୍ଟଙ୍କ ଦ୍ୱାରା ଜୁଲାଇ ୩୧, ୨୦୨୦ର ଶୁଣାଣିରେ ଖାଦ୍ୟ ସୁରକ୍ଷା, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା, ପଞ୍ଜିକରଣରେ କୋହଳତା ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟମାନଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା  ସତ୍ତ୍ୱେ କିଛି ରାଜ୍ୟମାନେ ଯେଉଁ ସବୁ ଉତ୍ତର ଦାଖଲ କରିଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ ଏବଂ ଯେଉଁ ସବୁ ରାଜ୍ୟମାନେ ଜବାବ ଦାଖଲ କରିନାହାନ୍ତି ସେମାନଙ୍କୁ ୧୦ ଦିନ ଭିତରେ ଜବାବ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଶେଷ ସୁଯୋଗ ଦେଇଥିଲେ। ଓଡ଼ିଶା ସମେତ ସାତ ରାଜ୍ୟକୁ ଜୁନ୍ ୬, ୨୦୨୦ ଓ ଜୁଲାଇ ୩୧, ୨୦୨୦ର ଆଦେଶ ଅନ୍ତର୍ଗତ ନିଆଯାଇଥିବା ତଥା ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟରୂପେ ସୂଚାଇବା ପାଇଁ ସୁପ୍ରିମକୋର୍ଟ ଆଜିର ଆଦେଶରେ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୪ରେ ହେବା ଆଜିର ଭିଡିଓ କନ୍‌ଫରେନ୍ସିଂ ଶୁଣାଣିରେ ରାଜ୍ୟ ଆଡ୍‌ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଓ ଏଓଆର ଶିବଶଙ୍କର ମିଶ୍ର ଉପସ୍ଥିତ ରହି ପକଷ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର