ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲା : ୧୮ ଅକ୍ଟୋବରରେ ଶୁଣାଣି ସରିବ, ନଭେମ୍ବରରେ ଆସିପାରେ ରାୟ, ମଧ୍ୟସ୍ଥତା ପାଇଁ ବିକଳ୍ପ ଖୋଲା

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ଅକ୍ଟୋବର ୧୮ ତାରିଖ ଦିନ ଶୁଣାଣି ଶେଷ କରିବା ପାଇଁ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ଶୁଣାଣି ଶେଷ କରିବା ପାଇଁ ତାରିଖ ଘୋଷଣା କରି କହିଛନ୍ତି ଯେ ମଧ୍ୟସ୍ଥତା ପ୍ରୟାସ ନେଇ ମଧ୍ୟ ବିକଳ୍ପ ଖୋଲା ରହିଛି। ତେବେ ଏଥିପାଇଁ ଶୁଣାଣି ଅଟକିବ ନାହିଁ ଏବଂ ୧୮ ଅକ୍ଟୋବରରେ ହିଁ ଶୁଣାଣି ପ୍ରକ୍ରିୟା ସରିବ।

ପ୍ରଧାନ ବିଚାରପତି ଗୋଗଇ ୧୭ ନଭେମ୍ବରରେ ଅବସର ନେଉଥିବାରୁ ଏହା ପୂର୍ବରୁ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଆସିବ ବୋଲି ଆଶା କରାଯାଉଛି। ଆବଶ୍ୟକ ସ୍ଥଳେ ଶନିବାର ମଧ୍ୟ ଶୁଣାଣି ହେବ ବୋଲି ଆଜି ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ସମୟକୁ ପ୍ରତିଦିନ ଘଣ୍ଟାଏ ବଢ଼ାଇ ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷ ସେମାନଙ୍କ ଦଲିଲ ରଖିବା ପାଇଁ ଚୂଡ଼ାନ୍ତ ସମୟସୀମା ଧାର୍ଯ୍ୟ ହୋଇଥିବାରୁ ଏହାକୁ ବିଭିନ୍ନ ମହଲ ସ୍ବାଗତ କରିଛନ୍ତି। ମାମଲାର ରାୟ ନଭେମ୍ବର ସୁଦ୍ଧା ଆସିବା ଜରୁରି ବୋଲି ଅନେକ ସାଧୁସନ୍ଥ କହିଛନ୍ତି। ଅକ୍ଟୋବର ୧୮ ତାରିଖରେ ଶୁଣାଣି ଶେଷ ହେଲେ ଏହାର ରାୟ ଲେଖିବା ପାଇଁ ଅନ୍ତତଃ ୧ ମାସ ସମୟ ଲାଗିବ ବୋଲି କୁହାଯାଉଛି। ତେଣୁ ନଭେମ୍ବର ମାସରେ ଯେ କୌଣସି ଦିନ ଚୂଡ଼ାନ୍ତ ରାୟ ଆସିବା ସମ୍ଭାବନା ରହିଛି। ଏବେ ହିନ୍ଦୁ ପକ୍ଷର ଶୁଣାଣି ଶେଷ ହୋଇଯାଇଥିବା ବେଳେ ମୁସ୍‌ଲିମ ପକ୍ଷର ଶୁଣାଣି ଜାରି ରହିଛି ଏବଂ ଆଗାମୀ ୨୭ ତାରିଖ ଦିନ ମୁସ୍‌ଲିମ ପକ୍ଷର ଯୁକ୍ତି ରଖିବା ପ୍ରକ୍ରିୟା ଶେଷ ହେବ। ମଧ୍ୟସ୍ଥତା ପାଇଁ କେତେକ ପକ୍ଷ ସୁପ୍ରିମ୍‌ କୋର୍ଟଙ୍କୁ ପତ୍ର ଲେଖିଥିବାରୁ ଏ ଦିଗରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସମ୍ବନ୍ଧିତ ଖବର