ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍ କରିଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାରକୁ ତୀବ୍ର ସମାଲୋଚନା କରି ସୋମବାର ଦିନ ଉଚ୍ଚତମ ନ୍ୟାୟାଳୟ ଗୁରୁତ୍ୱ ସହ କହିଛନ୍ତି ଯେ ସଂଘୀୟ ସରକାର ପାସ୍ କରିଥିବା କୌଣସି ଆଇନ୍କୁ ରାଜ୍ୟ ଚାଲେଞ୍ଜ୍ କରି ପାରିବ ନାହିଁ।
ଉପୁଜି ଥିବା ଆଧାର ସମ୍ବନ୍ଧୀୟ ବିବାଦ ଉପରେ ପରୀକ୍ଷା ନିରୀକ୍ଷା କରାଯିବା ଆବଶ୍ୟକ କିନ୍ତୁ ସଂସଦ ପାସ୍ କରିଥିବା ଆଇନ ବିରୋଧରେ ରାଜ୍ୟ ସରକାର ପିଟିସନ୍ ଫାଇଲ୍ କରି ପାରିବ ନାହିଁ ବୋଲି ବିଚାରପତି ଏ କେ ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଯଦି ସେ ଏହି ବ୍ୟବସ୍ଥାକୁ ଚାଲେଞ୍ଜ୍ କରିବାକୁ ଇଚ୍ଛୁକ ତେବେ ସେ ବ୍ୟକ୍ତିଗତ ସାମର୍ଥ୍ୟରେ ଅଦାଲତରେ ହାଜର ହୁଅନ୍ତୁ ବୋଲି ଖଣ୍ଡପୀଠ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ଆଧାର ବିନା ଜନମଙ୍ଗଳ ଯୋଜନାର ସୁଫଳ ଯୋଗାଇ ଦିଆ ଯିବ ନାହିଁ ବୋଲି କହିଥିବା ନ୍ୟାୟାଳୟ କହିଛନ୍ତି।
ବ୍ୟକ୍ତି ବିଶେଷ ଆଇନ ବିରୁଦ୍ଧରେ ପିଟିସନ୍ ଫାଇଲ୍ କରି ପାରିବେ, କିନ୍ତୁ ରାଜ୍ୟ ସରକାର ନୁହେଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଜଣେ ନାଗରିକ ଭାବେ ପିଟିସନ୍ ଦାଏର୍ କରନ୍ତୁ ଆମେ ତାଙ୍କ ପିଟିସନ୍ର ଶୁଣାଣି କରିବୁ ବୋଲି ଖଣ୍ଡପୀଠ ଘୋଷଣା କରିଛନ୍ତି।
ବାଧ୍ୟତାମୂଳକ ଭାବେ ମୋବାଇଲ୍ ସଂଯୋଗ ସହ ଆଧାର ନମ୍ବର ସଂଯୋଗ କରାଯିବା ବିରୋଧରେ ଚାଲେଞ୍ଜ୍ କରି ଆଗତ ଅଭିଯୋଗ ସମ୍ବନ୍ଧରେ ମଧ୍ୟ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଇ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଆଦେଶ ଦେଇଛନ୍ତି।
ଶୀର୍ଷ ଅଦାଲତଙ୍କ ଆଇନଗତ ଦଣ୍ଡବିଧାନ ରାୟ ପରେ ପଶ୍ଚିମ ବଙ୍ଗ ସରକାର ଆଧାର ଆଇନ୍କୁ ଚାଲେଞ୍ଜ୍ ନ କରିବା ପାଇଁ ପିଟିସନ୍ରେ ସାମାନ୍ୟ ପରିବର୍ତ୍ତନ କରିବାକୁ ରାଜି ହୋଇ ନିଜକୁ ଆଧାର ସଂଯୋଗ ଉପରେ ଶ୍ରମ ମନ୍ତ୍ରାଳୟ ଦେଇ ଥିବା ବିଜ୍ଞପ୍ତି ମଧ୍ୟରେ ବନ୍ଦ ରଖିଛନ୍ତି।
/sambad/media/post_attachments/wp-content/uploads/2017/10/MAMATA-300x265.jpg)
ତୃଣମୂଳ କଂଗ୍ରେସର ଲୋକସଭା ଚିଫ୍ ହୁଇପ୍ ଏବଂ ବରିଷ୍ଠ ଆଡ୍ଭୋକେଟ୍ କଲ୍ୟାଣ ବାନାର୍ଜୀ ପୂର୍ବରୁ କହିଥିଲେ ଯେ ବିଭିନ୍ନ ସାମାଜିକ ମଙ୍ଗଳ ଯୋଜନାର ଉପକାର ପାଇବା ନିମନ୍ତେ ଆଧାରକୁ ବାଧ୍ୟତାମୂଳକ କରାଯାଉ ବୋଲି କେନ୍ଦ୍ରର ପଦକ୍ଷେପକୁ ଚାଲେଞ୍ଜ୍ କରି କିଛି ଦିନ ତଳେ ଦାଖଲ କରାଯାଇଥିବା ରିଟ୍ ପିଟିସନ୍ ବାବଦରେ ଖଣ୍ଡପୀଠଙ୍କ ଶୁଣାଣି ଅକ୍ଟୋବର ୩୦ ପୂର୍ବରୁ ହେବ।
ମୋବାଇଲ୍ ସହ ଆଧାର ସଂଯୋଗକୁ ମଧ୍ୟ ମମତା ଅକ୍ଟୋବର ୨୫ ତାରିଖ ଦିନ କୋଲକତା ଠାରେ ଅନୁଷ୍ଠିତ ଦଳୀୟ ସଭାରେ ବିରୋଧ କରିଥିଲେ। ସେ କହିଥିଲେ କି, ଆଧାର ନମ୍ବର ଜଣକ ମୋବାଇଲ୍ ଫୋନ୍ ନମ୍ବରରେ ସଂଯୋଗ କରାଯିବା ଅନୁଚିତ। ସଂଯୋଗ ଛିନ୍ନ ହୋଇଗଲେ ମଧ୍ୟ ମୁଁ ମୋ ମୋବାଇଲ୍ ସହ ଆଧାର ନମ୍ବର ସଂଯୋଗ କରିବି ନାହିଁ।
ଠିକ୍ ସେହି ଦିନ କେନ୍ଦ୍ର ସରକାର ଶୀର୍ଷ ଅଦାଲତଙ୍କୁ ଜଣାଇ ଥିଲେ ଯେ ବିଭିନ୍ନ ସରକାରୀ ଯୋଜନାର ପାଇବାକୁ ଆଧାର ସଂଯୋଗ ସମୟ ସୀମା ମାର୍ଚ ୩୧ ତାରିଖ ଯାଏଁ ଘୁଞ୍ଚାଇ ଦିଆଗଲା।
/sambad/media/post_attachments/wp-content/uploads/2017/10/mamata-banerjee-pti-300x200.jpg)
ଜନମଙ୍ଗଳ ଯୋଜନା, ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ମୋବାଇଲ୍ ଫୋନ୍ ନମ୍ବରରେ ଆଧାର ସଂଯୋଗ ବ୍ୟବସ୍ଥା ବିରୋଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ଅନେକ ପିଟିସନ୍ ପଡ଼ି ରହିଛି।