ନୂଆଦିଲ୍ଲୀ : ଅନୁସୁଚିତ ଜାତି ଓ ଜନଜାତି ବର୍ଗଙ୍କ ପଦୋନ୍ନତି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ୨୦ ମାର୍ଚ୍ଚ ୨୦୦୨ର ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ପ୍ରଭାକର ମଲ୍ଲିକ ଏବଂ ବନାମ ରାଜ୍ୟସରକାରଙ୍କ ମାମଲାରେ ସୁପ୍ରିମକୋର୍ଟ ବିଚାରପତି ମୋହନ ଏସ୍‌ ଶାନ୍ତାନାଗୌଡ଼ାର ଓ ବିଚାରପତି ଆର. ସୁବାଷ ରେଡ୍ଡିଙ୍କ ଦ୍ବାରା ରାୟ ପ୍ରକାଶ କରାଯାଇଛି। ରାୟରେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟାପ୍ତ ପ୍ରତିନିଧିତ୍ବର ଅଧ୍ୟୟନ ବିନା ଅନୁସୂଚିତ ଜାତି/ଜନଜାତି ବର୍ଗରେ ପଦନ୍ନୋତିରେ ଆରକ୍ଷଣ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ଏହି ସଂରକ୍ଷଣ ମାମଲାକୁ ନେଇ ୨୪ ଡିସେମ୍ବର ୨୦୧୦ରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଥିବା ସହିତ ରାୟ ବିରୋଧରେ ସୁପ୍ରିମକୋର୍ଟରେ କରାଯାଇଥିବା ଅପିଲକୁ ମଧ୍ୟ ଖାରଜ କରି ଦେଇଛନ୍ତି।

Advertisment

ଓଡ଼ିଶା ସରକାରଙ୍କ ୨୦ ମାର୍ଚ୍ଚ ୨୦୦୨ ପ୍ରସ୍ତାବକୁ ବିରୋଧ କରାଯାଇ ପ୍ରଥମେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲରେ ଅଭିଯୋଗକାରୀମାନଙ୍କ ଦ୍ବାରା ସାନି ଆବେଦନ ଦାଖଲ କରାଯାଇଥିଲା। ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ୧୭ ଏପ୍ରିଲ୍‌ ୨୦୦୮ ଆଦେଶରେ କାଏମ ରଖିଥିଲା। ଏହାପରେ ଅଭିଯୋଗକାରୀମାନେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ଲିଗାଲ୍‌ ବେସିସ୍‌ ନଥିବା ଦର୍ଶାଇ ଖାରଜ କରିଦେଇଥିଲେ। ପ୍ରସ୍ତାବକୁ ଖାରଜ କରିବା ସହିତ ଅନୁବର୍ତ୍ତୀ ଗ୍ରେସେସନ ତାଲିକାକୁ ମଧ୍ୟ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ରାୟ ପ୍ରଦାନରେ କହିଛନ୍ତି, ସୁପ୍ରିମକୋର୍ଟ ୨୦୧୧ରେ ସମ୍ବିଧାନର ୮୫ତମ ସଂଶୋଧନରେ ଏମ୍.ନାଗରାଜ ମାମଲାରେ ରାଜ୍ୟ ଏସ୍‌ସି-ଏସ୍‌ଟିମାନଙ୍କ ପାଇଁ ଚାକିରୀରେ ପଦେ‌ାନ୍ନତି ପାଇଁ ଆରକ୍ଷଣ ଦେବାକୁ ବାଧ୍ୟ ନୁହେଁ ବୋଲି କହିଛନ୍ତି।

ଯଦି ରାଜ୍ୟ ସରକାର ନିଜର ବିବେକାଧିକାର ପ୍ରୟୋଗ କରି ସଂରକ୍ଷିତଙ୍କୁ ପଦୋନ୍ନତିରେ ଆରକ୍ଷଣ ଦେବା ପାଇଁ ଚାହିଁବେ, ସେହି ରାଜ୍ୟକୁ ପଛୁଆବର୍ଗର ସଂଖ୍ୟାତ୍ମକ ଡାଟା ଏକତ୍ର କରି ସାର୍ବଜନକ ପଦମାନଙ୍କରେ ସେମାନଙ୍କର ପ୍ରତିନିଥିତ୍ବରେ ପର୍ଯ୍ୟାପ୍ତ ନଥିବାର ବିବେଚନା କରିବାକୁ ପଡ଼ିବ। ପଦୋନ୍ନତିରେ ରାଜ୍ୟମାନଙ୍କୁ କାର୍ଯ୍ୟକୁଶଳତା ଯେଭଳି ପ୍ରଭାବିତ ହେବ ନାହିଁ, ସେଥିପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ରାୟରେ କୋର୍ଟ ପୁଣି କହିଛନ୍ତି, ୨୦୧୮ରେ ରାଜ୍ୟମାନଙ୍କର ପଛୁଆବର୍ଗ ଡାଟା ଏକତ୍ର କରିବାରେ ବାଧ୍ୟତା ଶେଷ କରି ଦିଆଯାଇଥିଲା। କିନ୍ତୁ ୨୦୧୮ର ଜରନଲ ସିଂହ ବନାମ ଲକ୍ଷ୍ମୀ ନାରାୟଣ ଗୁପ୍ତା ମାମଲାର ରାୟରେ ପଦୋନ୍ନତି ପଦ ପାଇଁ ପର୍ଯ୍ୟାପ୍ତ ପ୍ରତିନିଥିତରେ ଅଧ୍ୟୟନକୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଥିଲା। ଉଚିତ ଆଇନ ପ୍ରସ୍ତୁତ କରାଯାଇ ସଂରକ୍ଷିତ ବର୍ଗକୁ ପଦନ୍ନୋତି ଦିଆଯାଇ ପାରିବ। ରାଜ୍ୟ ସରକାର ୨୦ ମାର୍ଚ୍ଚ ୨୦୦୨ରେ ପଦନ୍ନୋତି ସଂରକ୍ଷଣକୁ ନେଇ ଯେଉଁ ପ୍ରସ୍ତାବ କରିଥିଲେ ତାହାକୁ କୌଣସି ଦୃଷ୍ଟିରେ ଆଇନ କିମ୍ବା ସରକାରୀ ଆଦେଶ କୁହାଯାଇ ପାରିବ ନାହିଁ।