ନୂଆଦିଲ୍ଲୀ: ଜାତୀୟ ଖାଉଟି ବିବାଦ ନିବାରଣ କମିଶନ (ଏନ୍‌ସିଡିଆରସି) ଆଇଟିସି କମ୍ପାନିର ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ତ୍ରୁଟିପୂର୍ଣ୍ଣ ଶୈଳୀରେ କେଶ କଟାଯିବା ପାଇଁ ଜଣେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦେବାକୁ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନସିଡିଆରସି ରାୟକୁ ଚ୍ୟାଲେଞ୍ଜ କରି ଆଇଟିସିର ଆବେଦନ ଉପରେ ପୀଡ଼ିତା ମଡେଲ ଆଶ୍ନା ରାୟଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି।

Advertisment

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କ୍ଷତିପୂରଣ ପରିମାଣ କେବଳ ମାଗିିବା ଉପରେ ନୁହେଁ; ବରଂ ଭୌତିକ ପ୍ରମାଣ ଉପରେ ଆଧାରିତ ହେବା ଆବଶ୍ୟକ। ଏନ୍‌ସିଡିଆରସି ୨୦୨୧ ସେପ୍ଟେମ୍ବର ୨୧ ତାରିଖରେ ଆଇଟିସି କମ୍ପାନିକୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦେବାକୁ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇଟିସି ପକ୍ଷରୁ ଦାଏର ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଚଳିତ ବର୍ଷ ଫେବ୍ରୁଆରିରେ ଏନସିଡିଆରସି ଆଦେଶକୁ ଖାରଜ କରିଥିଲେ ଏବଂ ମଡେଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ବିଷୟବସ୍ତୁକୁ ଅନୁଧ୍ୟାନ କରିବା ପରେ ଉପଭୋକ୍ତା ପ୍ୟାନେଲକୁ ଏହି ପ୍ରସଙ୍ଗରେ ପୁନଃବିଚାର କରିବାକୁ କହିଥିଲେ। ତେବେ, ପୀଡ଼ିତା ରାୟଙ୍କ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବିତ ମଡେଲିଂ ଏବଂ ଅଭିନୟ ଚୁକ୍ତିର ଇ-ମେଲ୍‌ ଏବଂ ଆବେଦନ ଉପରେ ନିର୍ଭର କରି ଏନସିଡିଆରସି ଏପ୍ରିଲ ୨୫ରେ ନିଜର ପୂର୍ବ ଆଦେଶକୁ ଦୋହରାଇଥିଲେ।

publive-image

ମଡେଲ ରାୟଙ୍କ କହିବା ଅନୁଯାୟୀ, ୨୦୧୮ ଏପ୍ରିଲ ୧୨ ତାରିଖରେ ସେ ହେୟାର ଷ୍ଟାଇଲିଂ ପାଇଁ ନୂଆଦିଲ୍ଲୀର ହୋଟେଲ ଆଇଟିସି ମୌର୍ଯ୍ୟରେ ଥିବା ସେଲୁନକୁ ଯାଇଥିଲେ। ସେଠାରେ ସେ ନିୟମିତ ଭାବେ କେଶ କରୁଥିବା ହେୟାର ଡ୍ରେସର ସେ ସମୟରେ ଉପଲବ୍ଧ ନଥିବାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ତାଙ୍କ କେଶ କାଟିବା ଶୈଳୀକୁ ନେଇ ସେ ନୂତନ ହେୟାର ଡ୍ରେସରଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ, ହେୟାର ଷ୍ଟାଇଲିଂ ସମ୍ପୂର୍ଣ୍ଣ ହେବା ପରେ ମଡେଲ ଦେଖିଲେ ଯେ ହେୟାର ଡ୍ରେସର ତାଙ୍କ କେଶକୁ କାଟି ଦେଇଛନ୍ତି ଏବଂ ମୁଣ୍ଡରେ ମାତ୍ର ୪ ଇଞ୍ଚ ଲମ୍ବର କେଶ ରହିଛି। ଯାହା କି ସେ ଦେଇଥିବା ନିର୍ଦ୍ଦେଶର ସମ୍ପୂର୍ଣ୍ଣ ବିପରୀତ ବୋଲି ମଡେଲ ଦାବି କରିଥିଲେ।

ମଡେଲଙ୍କ କହିବା ଅନୁଯାୟୀ, ତ୍ରୁଟିପୂର୍ଣ୍ଣ କେଶ କାଟିବା କାରଣରୁ ସେ ଆଉ ସୁନ୍ଦର ଦେଖାଯାଉ ନ ଥିବାରୁ ନିଜର ସ୍ୱାଭାବିକ ବ୍ୟସ୍ତବହୁଳ ମଡେଲର ଜୀବନ ଅତିବାହିତ କରିପାରି ନଥିଲେ। ଅନ୍ୟପକ୍ଷରେ, ତାଙ୍କୁ ବହୁତ ଅପମାନ ଓ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କ ମଡେଲିଂ କ୍ୟାରିୟର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ଏବଂ ସେ ଅବସାଦଗ୍ରସ୍ତ ଅବସ୍ଥାକୁ ଆସି ଯାଇଥିଲେ ବୋଲି ପୀଡ଼ିତା ରାୟ ଦାବି କରିଥିଲେ।

ପରବର୍ତ୍ତୀ ସମୟରେ ସେବାରେ ଅବହେଳା ଅଭିଯୋଗ କରି ସେ ଏନସିଡିଆରସିଙ୍କ ନିକଟରେ ଅଭିଯୋଗ କରିବା ସହ ନିର୍ଯାତନା, ଅପମାନ, ମାନସିକ ଆଘାତ, କ୍ୟାରିୟର ହରାଇବା, ଆୟ ହରାଇବା ଏବଂ ଭବିଷ୍ୟତ ସମ୍ଭାବନା ହରାଇବା ପାଇଁ ଆଇଟିସି ମ୍ୟାନେଜମେଣ୍ଟକୁ ଲିଖିତ କ୍ଷମା ମାଗିବା ସହ ୩ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ।