ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କେବଳ ନିଜ ରାଜ୍ୟରେ ସଂରକ୍ଷଣ ସୁବିଧା

ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ଓ ସରକାରୀ ଚାକିରିରେ ମିଳୁଥିବା ସଂରକ୍ଷଣ ସୁବିଧା ଗୋଟିଏ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ସୀମିତ ରହିବ। ଦୁଇଟି ରାଜ୍ୟରେ ଏହା ଦାବି କରାଯାଇପାରିବ ନାହିଁ ।

ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରି କହିଛନ୍ତି ଯେ, ଯେ କୌଣସି ଏସ୍‌ସି/ଏସ୍‌ଟି ବର୍ଗର ଲୋକ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି ସେମାନେ ସଂରକ୍ଷଣ ସୁବିଧା ପାଇବେ ନାହିଁ। ଏପରିକି, ସେମାନେ ଜାତିଭିତ୍ତିକ ସଂରକ୍ଷଣର ଅନ୍ତର୍ଭୁକ୍ତ ହେବେ କି ନାହିଁ ସେହି ରାଜ୍ୟର ବ୍ୟବସ୍ଥା ଉପରେ ନିର୍ଭର କରିବ। ଯଦି ସେମାନଙ୍କ ଜାତିକୁ ସେହି ରାଜ୍ୟର ସଂରକ୍ଷଣ ସୁବିଧାରେ ଅନ୍ତର୍ଭୁକ୍ତ କରାଯାଇ ନଥିବ, ତା’ହେଲେ ସେମାନେ ପାଇପାରିବେ ନାହିଁ।

ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଅନୁସୁଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ଲୋକମାନେ ନିଜ ରାଜ୍ୟରେ ଯେଉଁ ସୁବିଧା ପାଉଛନ୍ତି, ତାହା ଅନ୍ୟ ରାଜ୍ୟରେ ଯେ ମିଳିପାରିବ, ସେଥିପାଇଁ ଦାବି କରିପାରିବେ ନାହିଁ। ସେହିଭଳି ଗୋଟିଏ ରାଜ୍ୟରେ ଅନୁସୂଚିତ ବର୍ଗରେ ଆସୁଥିବା ଜଣେ ବ୍ୟକ୍ତିକୁ ଅନ୍ୟ ରାଜ୍ୟରେ ଅନୁସୂଚିତ ଜାତି ଭାବେ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ, ଦିଲ୍ଲୀରେ ସରକାରୀ ଚାକିରି କ୍ଷେତ୍ରରେ କେନ୍ଦ୍ରୀୟ ସୂଚୀ ଅନୁସାରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ସଂରକ୍ଷଣ ସୁବିଧା ମିଳିବ ବୋଲି ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଦିଲ୍ଲୀ କ୍ଷେତ୍ରରେ ଏସ୍‌ସି/ଏସ୍‌ଟି ଲୋକଙ୍କ ନିମନ୍ତେ କେନ୍ଦ୍ରୀୟ ସଂରକ୍ଷଣ ନୀତି କାର୍ଯ୍ୟକାରୀ ହେବ। ତେବେ ଏ ନେଇ ବିଚାରପତି ଆର୍‌ ଭାନୁମତୀ ଭିନ୍ନ ମତପୋଷଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗୋଟିଏ ରାଜ୍ୟର ଏସ୍‌ସି/ଏସ୍‌ଟି ବର୍ଗର ଲୋକ ଅନ୍ୟ ରାଜ୍ୟରେ ସଂରକ୍ଷଣ ଲାଭ ପାଇପାରିବେ କି ନାହିଁ ସେ ବାବଦରେ ହୋଇଥିବା ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ରାୟ ଦେଇଛନ୍ତି। ତେବେ ଅନ୍ୟ ରାଜ୍ୟର ଏସ୍‌ସି/ଏସ୍‌ଟି ବର୍ଗର ଲୋକମାନେ ଦିଲ୍ଲୀରେ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ପାଇପାରିବେ କି ନାହିଁ ସେ ନେଇ ଉଠିଥିବା ପ୍ରଶ୍ନକୁ ଖଣ୍ଡପୀଠ ଏଡ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର