ଇଣ୍ଟରନେଟ୍‌ରେ ଲିଙ୍ଗ ନିରୂପଣ ବିଜ୍ଞାପନ ଦେଲେ ୩ ବର୍ଷ ଜେଲ୍‌ ସହ ୧୦ ହଜାର ଜରିମାନା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ପାଇଁ ଇଣ୍ଟରନେଟରେ ବିଜ୍ଞାପନ ଦେଉଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷ ଏଣିକି ସାବଧାନ! କାରଣ, ଏପ୍ରକାରର ବିଜ୍ଞାପନ ଏଣିକି ଭାରତୀୟ ଦଣ୍ଡବିଧି ଆଇନ୍‌ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ ରୂପେ ବିବେଚନା ହେବା ସହ ବିଜ୍ଞାପନ ଦେଇଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ପାଇଁ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ହେବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ଖବରୁ ପ୍ରକାଶ, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ପାଇଁ ସଂପ୍ରତି ଇଣ୍ଟରନେଟରେ ଚାଲିଥିବା ବିଜ୍ଞାପନକୁ ନେଇ ସୁପ୍ରିମ୍‌ କୋର୍ଟ ବୁଧବାର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ନୋଡାଲ୍‌ ଏଜେନ୍ସିକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି ଯେ ଗୁଗୁଲ୍‌, ୟାହୁ, ମାଇକ୍ରୋସଫ୍ଟ ପରି ବଡ଼ ବଡ଼ ଇଣ୍ଟରନେଟ୍‌ କମ୍ପାନିମାନଙ୍କ ସହ ତୁରନ୍ତ ଆଲୋଚନା କରି ୬ ସପ୍ତାହ ମଧ୍ୟରେ ଇଣ୍ଟରନେଟ୍‌ର ଅନ୍‌ଲାଇନ୍‌ ସର୍ଚ୍ଚ ଇଞ୍ଜିନ୍‌ରେ ପ୍ରସାରିତ ହେଉଥିବା ଏ ଧରଣର ସମସ୍ତ ବିଜ୍ଞାପନକୁ ଅପସାରିତ କରିବା ପାଇଁ।

NBT

ଉଲ୍ଲେଖଯୋଗ୍ୟ, ଭାରତୀୟ ଆଇନ୍‌କୁ ଉଲ୍ଲଂଘନ କରି ଇଣ୍ଟରନେଟ୍‌ର ଅନ୍‌ଲାଇନ୍‌ ସର୍ଚ୍ଚ ଇଞ୍ଜିନ୍‌ମାନଙ୍କରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ହେଉଥିବା ବ୍ୟାପକ ବିଜ୍ଞାପନ ସଂପର୍କରେ ଅଭିଯୋଗ ପାଇବା ପରେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ ଏହି ନୋଡାଲ୍‌ ଏଜେନ୍ସିର ଗଠନ କରିବା ସହ ଏଧରଣର ବିଜ୍ଞାପନ ବନ୍ଦ କରିବାକୁ ସୁପ୍ରିମ୍‌ କୋର୍ଟ କହିଥିଲେ। ଏହା ପୂର୍ବରୁ ଏପ୍ରିଲ୍‌ ମାସରେ ସୁପ୍ରିମ୍‌ କୋର୍ଟ ସିଧାସଳଖ ଗୁଗୁଲ୍‌, ୟାହୁ ଏବଂ ମାଇକ୍ରୋସଫ୍ଟ ପରି ବଡ଼ ବଡ଼ ଇଣ୍ଟରନେଟ୍‌ କମ୍ପାନିମାନଙ୍କୁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ବିଜ୍ଞାପନ ଭାରତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଥିଲେ।

ତେବେ, ଏତେ ସୁପ୍ରିମ୍‌ କୋର୍ଟଙ୍କ ଏତେସବୁ ଉଦ୍ୟମ ପରେ ଏବେ ବି ଭାରତରେ ଇଣ୍ଟରନେଟର ଅନ୍‌ଲାଇନ୍‌ ସର୍ଚ୍ଚ ଇଞ୍ଜିନ୍‌ ମାନଙ୍କରେ ଏ ଧରଣର ବ୍ୟାପକ ବିଜ୍ଞାପନ ଚାଲିଥିବା ଅଭିଯୋଗ କରି ଶୁବୁ ଜର୍ଜ ନାମକ ଜନୈକ ସମାଜକର୍ମୀ ଆଗତ କରିଥିବା ଏକ ମାମଲାର ବିଚାର କରି, ସୁପ୍ରିମ୍‌ କୋର୍ଟ ବୁଧବାର ଇଣ୍ଟରନେଟ୍‌ରେ ଏଧରଣର ବିଜ୍ଞାପନ ପ୍ରସାରଣକୁ ଭାରତୀୟ ଦଣ୍ଡବିଧି ଆଇନ୍‌ର ୨୨ଧାରାରେ ଏକ ଧର୍ତ୍ତବ୍ୟ ଅପରାଧ ରୂପେ ଘୋଷଣା କରିବା ସହ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ପାଇଁ ତିନି ବର୍ଷର ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଆଇନ୍‌ କରି ଦେଇଛନ୍ତିି।

ସମ୍ବନ୍ଧିତ ଖବର