ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ଆସନ୍ତାକାଲି ସୁପ୍ରିମକୋର୍ଟର ବିଚାରପତି ଏସ୍‌ ଏ ବବ୍‌ଡ଼େ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ମହାନଦୀ ଜଳବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଗତମାସ ୧୧ ତାରିଖରେ ଶୁଣାଣି ସମୟରେ କେନ୍ଦ୍ର ସରକାର କାହିଁକି ଟ୍ରିବ୍ୟୁନାଲ ଗଠନ କରୁନାହାନ୍ତି ବୋଲି ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରବାପା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଜବାବ୍‌ ତଲବ କରିଥିଲେ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଭାରତ ସରକାରଙ୍କ ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ଉପସ୍ଥିତ ରହି ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଗତମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାନଦୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ ହୋଇଥିଲା ସେଥିରେ ସ୍ୱତନ୍ତ୍ର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇଥିଲା। ତେବେ ଆସନ୍ତାକାଲିର ଶୁଣାଣିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସେସବୁ ତଥ୍ୟର ପୁନରାବୃତ୍ତି କରାଯିବ। ଗତ ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ମହାନଦୀ ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ ସିଧାସଳଖ ଉତ୍ତର ତଲବ କରିଥିବାରୁ ଏବଂ ଆବଶ୍ୟକ ପଡ଼ିଲେ ମେରିଟ୍‌ ଆଧାରରେ ମାମଲାର ଶୁଣାଣି କରି ନିଷ୍ପତ୍ତି ନିଆଯିବ ବୋଲି ଟିପ୍ପଣୀ କରିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଆପୋସ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପୁଣିଥରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି।

ଅପରପକ୍ଷେ ଓଡ଼ିଶା ପକ୍ଷରୁ ଆସନ୍ତାକାଲି ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ନେଇ ଦାବିକୁ ପୁଣିଥରେ ଖଣ୍ଡପୀଠଙ୍କ ନିକଟରେ ଜୋରଦାର ଉପସ୍ଥାପନ କରାଯିବ। ସୁଚନାନୁଯାୟୀ ରାଜ୍ୟ ସରକାରଙ୍କ ବରିଷ୍ଠ ଇଞ୍ଜିନିୟରମାନେ ମହାନଦୀ ଜଳବିବାଦ ମାମଲାରେ କିଛି ଅତିରିକ୍ତ ନଥିପତ୍ର ସହ ବରିଷ୍ଠ ଓକିଲମାନଙ୍କ ସହ ଆଲୋଚନା କରିଛନ୍ତି। ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁଁ ଯେଉଁ ସବୁ ପ୍ରଭାବ ପ୍ରତୀୟମାନ ହେଉଛି ସେସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ବରିଷ୍ଠ ଆଇନଜୀବୀ ରାଜେଶ ଦ୍ୱିବେଦୀ, ଇସି ଅଗ୍ରଓ୍ଵାଲ ପ୍ରମୁଖ ଯୁକ୍ତି ଉପସ୍ଥାପନ କରିବେ। ଅପରପକ୍ଷେ ଆସନ୍ତାକାଲିର ଶୁଣାଣିରେ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ଦାବିକୁ ଜୋରଦାର ବିରୋଧ କରାଯିବ ବୋଲି ଛତିଶଗଡ଼ ସରକାରଙ୍କ ଓକିଲ ଅତୁଲ୍‌ ଝା କହିଛନ୍ତି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଦ୍ୱାର ଯେମିତି ମହାନଦୀ ଜଳବିବାଦର ସମାଧାନ କରାଯାଇପାରିବ ସେ ନେଇ ଛତିଶଗଡ଼ ପୁଣିଥରେ ଆସନ୍ତାକାଲି ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ ଅବଗତ କରାଇବ ବୋଲି ଅତୁଲ୍‌ ଝା କହିଛନ୍ତି। ତେବେ ପୋଲାଭରମ ମାମଲାରେ ସରକାର ଆପୋସ ବୁଝାମଣା ପାଇଁ ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଉଥିବାବେଳେ ମହାନଦୀ ଜଳବିବାଦ ମାମଲାରେ କାହିଁକି ଆପୋସ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ ଏ ପ୍ରସଙ୍ଗରେ ଆସନ୍ତାକାଲି ଶୁଣାଣି ସମୟରେ କୋର୍ଟଙ୍କୁ ଅବଗତ କରାଇବ ବୋଲି ଅତୁଲ୍‌ ଝା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର