ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ; ଶୁଣାଣି ଆରମ୍ଭରୁ ସ୍ଥଗିତ; ପରବର୍ତ୍ତୀ ଶୁଣାଣି ମେ ୧୦ରେ କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଦେଶଦ୍ରୋହ ଉପରେ ଔପନିବେଶିକ ଯୁଗର ଦଣ୍ଡବିଧାନ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନକୁ ଏକ ବୃହତ ଖଣ୍ଡପୀଠକୁ ପଠାଯିବ କି ନାହିଁ ଏବଂ ଏହାର ପ୍ରତିକ୍ରିୟା ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯାଇଛି କି ନାହିଁ ସେ ବିଷୟରେ ସୃଷ୍ଟି ହୋଇଥିବା ଆଇନଗତ ପ୍ରଶ୍ନ ଉପରେ ଆସନ୍ତା ମେ ୧୦ ତାରଖରେ ଶୁଣାଣି କରିବେ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ ଭି ରମନ୍ନା ଏବଂ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଦେଶଦ୍ରୋହ ଆଇନ ବିରୋଧରେ ଆଗତ ଏକାଧିକ ମାମଲାର ଏକ ବ୍ୟାଚ୍‌ ଆବେଦନ ଉପରେ ଯୁକ୍ତି ଶୁଣିବା ଆରମ୍ଭ କରିଥିଲେ ଏବଂ କିଛି ସମୟ ପରେ ଏହାକୁ ଆସନ୍ତା ମଙ୍ଗଳବାର (ମେ ୧୦ ତାରିଖ) ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ପ୍ରାରମ୍ଭରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉତ୍ତର ଦାଖଲ କରିବା ପାଇଁ କୋର୍ଟଙ୍କୁ ଆଉ କିଛି ଦିନ ସମୟ ମାଗିଥିଲେ ଏବଂ କହିଥିଲେ ଯେ ଓକିଲମାନଙ୍କ ଦ୍ୱାରା କରାଯାଇଥିବା ଚିଠା (ଡ୍ରାଫ୍‌ଟ) ପ୍ରତିକ୍ରିୟା ଦକ୍ଷ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା କରିଛି। କାରଣ ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟତଃ, ନିକଟରେ କିଛି ନୂତନ ବିଷୟ ପରିବେଷଣ କରାଯାଇଛି ଏବଂ ସେହି ନିବେଦନଗୁଡ଼ିକର ବିଷୟବସ୍ତୁ ମଧ୍ୟ ଏକ ପ୍ରତିକ୍ରିୟା ଆବଶ୍ୟକ କରେ। ଆସନ୍ତା ମଙ୍ଗଳବାର ଅପରାହ୍ନ ୨ ଟାରେ ଏହି ମାମଲାକୁ ତାଲିକା କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ସୋମବାର ସୁଦ୍ଧା କାଉଣ୍ଟର (ସତ୍ୟପାଠ) ଦାଖଲ କରିବେ ସଲିସିଟର ଜେନେରାଲ। ଏହି ମାମଲାରେ ଆଉ କୌଣସି ମୁଲତବୀ (ମଞ୍ଜୁର କରାଯିବ ନାହିଁ) ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରମନ୍ନା କହିଛନ୍ତି। ଏପ୍ରିଲ ୨୭ରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ କୋର୍ଟ ମେ ୫ରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରିବ ଏବଂ ସ୍ଥଗିତ ରଖିବା ପାଇଁ କୌଣସି ଅନୁରୋଧକୁ ଗ୍ରହଣ କରିବ ନାହିଁ।

ଦେଶଦ୍ରୋହ ଉପରେ ଦଣ୍ଡବିଧାନ ଆଇନର ବିପୁଳ ଅପବ୍ୟବହାରକୁ ନେଇ ଚିନ୍ତିତ ଶୀର୍ଷ ଅଦାଲତ ଗତ ବର୍ଷ ଜୁଲାଇରେ କେନ୍ଦ୍ରକୁ ପଚାରିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନକୁ ଦମନ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ପରି ଲୋକଙ୍କୁ ଚୁପ୍‌ କରିବା ପାଇଁ ବ୍ରିଟିଶମାନେ ବ୍ୟବହାର କରୁଥିବା ବ୍ୟବସ୍ଥାକୁ ସରକାର କାହିଁକି ରଦ୍ଦ କରୁନାହାଁନ୍ତି?
ଆଇପିସିରେ ଧାରା ୧୨୪ଏ (ଦେଶଦ୍ରୋହ)ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ ଏବଂ ପୂର୍ବତନ ମେଜର-ଜେନେରାଲ ଏସ ଜି ଭୋମ୍ବଟକେରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ପାଇଁ ରାଜି ହୋଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାର ମୁଖ୍ୟ ଚିନ୍ତା ହେଉଛି ଏହି ଆଇନର ଅପବ୍ୟବହାର; ଯାହା ଦ୍ୱାରା ଅନେକ ମାମଲା ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର