କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଶୁକ୍ରବାରଦିନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ଏକ ମାମଲାର ଶୁଣାଣି ଶୁକ୍ରବାରଦିନ କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସଏ ବୋବଡେ ଓ ଜଷ୍ଟିସ ଏସଏ ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଆଡଭୋକେଟ ଏମଏଲ ଶର୍ମା ଓ ସାମ୍ବାଦିକା କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକ ଅନୁରାଧା ଭାଷିନ ଏ ପ୍ରସଙ୍ଗରେ ଦୁଇଟି ମାମଲା ଦାଏର କରିଛନ୍ତି ।

ଆଡଭୋକେଟ୍‌ ଏମଏଲ ଶର୍ମା କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବାବେଳେ ସାମ୍ବାଦିକା ଅନୁରାଧା ଭାଷିନ ରାଜ୍ୟରେ ବିଭିନ୍ନ ଯୋଗାଯୋଗ ମାଧ୍ୟମ ଉପରେ ଲଗାଯାଇଥିବା କଟକଣାକୁ ଚ୍ୟାଲେଞ୍ଜ କରିଛନ୍ତି । ଇଣ୍ଟରନେଟ, ଫୋନ ଆଦି ସେବା ତୁରନ୍ତ ଆରମ୍ଭ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି । ଭାରତ ସରକାର ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର