ବିଚାରପତି ଓହରି ଯିବାରୁ ଶୁକ୍ରବାର ଦିନ ଓମାର୍‌ ଅବ୍ଦୁଲ୍ଲାଙ୍କ ଅଟକ ଆବେଦନର ଶୁଣାଣି ହେବ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲାଙ୍କ ଅଟକ ଘଟଣାକୁ ବିରୋଧ କରି ଆଗତ ଆବେଦନର ଶୁଣାଣି ଶୁକ୍ରବାର ଦିନ କରାଯିବ। ସୁପ୍ରିମ୍‌ କୋର୍ଟଙ୍କ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠରୁ ବିଚାରପତି ମୋହନ ଏମ୍‌ ଶାନ୍ତନାଗୌଦାର ଏହି ଆବେଦନ ଶୁଣାଣିରୁ ଓହରି ଯିବାରୁ ଓମାରଙ୍କ ଭଉଣୀ ସାରା ଅବ୍ଦୁଲ୍ଲା ପାଇଲଟ୍‌ ଦାଏର କରିଥିବା ଉକ୍ତ ଆବେଦନର ଆଜି ଶୁଣାଣି କରାଯାଇ ପାରିଲା ନାହିଁ।

ଏହି ଖଣ୍ଡପୀଠର ଅନ୍ୟ ଦୁଇ ଜଣ ବିଚାରପତି ହେଉଛନ୍ତି ଜଷ୍ଟିସ୍‌ ଏନ୍‌ ଭି ରମଣ ଏବଂ ସଞ୍ଜୀବ ଖାନ୍ନା। ଜଷ୍ଟିସ୍‌ ଶାନ୍ତନାଗୌଦାର କହିଛନ୍ତି: ମୁଁ ଏହି ମାମଲାରେ ଅଂଶଗ୍ରହଣ କରିବି ନାହିଁ। କିନ୍ତୁ, ଓହରି ଯିବା ସଂକ୍ରାନ୍ତରେ ସେ କୌଣସି କାରଣ ଉଲ୍ଲେଖ କରି ନାହାନ୍ତି।

ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କରାଯିବ।

Image Source: Hinduatan Times

ଛଅ ମାସ ହେବ ଓମାର ଅବ୍ଦୁଲ୍ଲାଙ୍କୁ ଅଟକ ରଖାଯାଇଛି। ଅଗଷ୍ଟ ପାଞ୍ଚ ତାରିଖ ଦିନ କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଥିଲା।

ଛଅ ମାସ ହାଜତରେ ରହିବା ପରେ ‘ପବ୍ଲିକ୍‌ ସେଫ୍‌ଟି ଆକ୍ଟ୍‌’ରେ ସରକାର ପୁଣି ତାଙ୍କର ଅଟକ ସମୟସୀମା ବଢ଼ାଇଛନ୍ତି। ଏହି ଆଇନ୍‌ ବଳରେ ଜଣେ ବ୍ୟକ୍ତିଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଅଟକ ରଖାଯାଇ ପାରିବ।

ଏହାକୁ ବେଆଇ ଦର୍ଶାଇ ତାଙ୍କ ଭଉଣୀ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇ ‘ହେବିୟସ୍‌ କର୍ପସ୍‌’ ପିଟିସନ୍‌ ଦାଏର କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଓମାର ଅବ୍ଦୁଲ୍ଲା ଶାନ୍ତିର ସମର୍ଥକ। ଅନେକ ଟୁଇଟ୍‌ ଏବଂ ବିବୃତିରୁ ଏହାର ପ୍ରମାଣ ମିଳୁଛି।

ସମ୍ବନ୍ଧିତ ଖବର