ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ ବିରୋଧରେ ବହୁ ଅଭିଯୋଗ କରି ‘ହିଣ୍ଡେନ୍ବର୍ଗ ରିସର୍ଚ’ ପ୍ରକାଶ କରିଥିବା ରିପୋର୍ଟ ଉପରେ ତଦନ୍ତ କରିବା ଲାଗି କମିଟି ଗଠନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ପାଇଁ ଆଗତ ପିଟିସନ୍ର ଶୁଣାଣି ଆସନ୍ତାକାଲି କରିବେ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ଏହି ରିପୋର୍ଟର ତଦନ୍ତ କମିଟିର ପର୍ଯ୍ୟବେକ୍ଷକ ଭାବେ ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଆଯାଉ ବୋଲି ଉକ୍ତ ଆବେଦନରେ ଉଲ୍ଲେଖ ଅଛି।
ଏହାକୁ ଜରୁରୀକାଳୀନ ଶୁଣାଣି ତାଲିକାଭୁକ୍ତ କରାଯାଉ ବୋଲି ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ପିଟିସନ୍ ଫାଇଲ୍ କରିଥିବା ଆଡ୍ଭୋକେଟ୍ ବିଶାଳ ତିୱାରି ଆଜି କହିଥିଲେ।
ତିୱାରି କହିଛନ୍ତି, ଏହି ଖଣ୍ଡପୀଠରେ ବିଚାରପତି ଏସ୍. ନରସିଂହ ଏବଂ ଜେ. ବି. ପର୍ଦିୱାଲା ମଧ୍ୟ ଅଛନ୍ତି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରାଯିବ।
ଏହି ଜନସ୍ବାର୍ଥ ମାମଲାରେ ତିୱାରି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବଡ଼ ବଡ଼ କର୍ପୋରେଟ୍ଗୁଡ଼ିକୁ ୫୦୦ କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁରି ନୀତିର ପର୍ଯ୍ୟବେକ୍ଷଣ କରିବା ପାଇଁ ମଧ୍ୟ ସ୍ବତନ୍ତ୍ର କମିଟି ଗଠନ ନିମନ୍ତେ ନିର୍ଦେଶ ଦିଆଯାଉ।
ସୂଚନାଯୋଗ୍ୟ, ‘ହିଣ୍ଡେନ୍ବର୍ଗ’ ହେଉଛି ‘ସର୍ଟ ସେଲିଙ୍ଗ୍’ରେ ପାରଦର୍ଶିତା ଥିବା ନ୍ୟୁୟର୍କର ଗୋଟିଏ କ୍ଷୁଦ୍ର କମ୍ପାନି। ତା’ର ଏହି ରିପୋର୍ଟ ଯୋଗୁଁ ଅଦାନୀ ଗ୍ରୁପ୍ ମାତ୍ର ଦୁଇ ସପ୍ତାହରେ ୫୦ ବିଲିୟନ୍ ଆମେରିକୀୟ ଡଲାର ‘ମାର୍କେଟ୍ ଭେଲ୍ୟୁ’ ହରାଇଛି। ନିଜେ ଅଦାନୀ ମଧ୍ୟ ୨୦ ବିଲିୟନ୍ ଡଲାର୍ ବା ସମୁଦାୟ ସମ୍ପତ୍ତିର ଏକପଞ୍ଚମାଂଶ ହରାଇଛନ୍ତି।