ପୋଲାଭରମ ମାମଲା ଶୁଣାଣି ୨୯ରେ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଛି। ଚଳିତ ମାସ ୨୨ରେ ମାମଲାର ତ୍ବରିତ ଶୁଣାଣି ପାଇଁ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ନଭେମ୍ବର ୨୭କୁ ଧାର୍ଯ୍ୟ କରିଥିଲେ। ହେଲେ ଆସନ୍ତାକାଲି ଏକ ସ୍ବତନ୍ତ୍ର ଖଣ୍ଡପୀଠରେ କିଛି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ବିଚାରପତି ମଦନ ବି ଲୋକୁର ବ୍ୟସ୍ତ ରହିବା ଯୋଗୁଁ ମାମଲାର ଶୁଣାଣିକୁ ନଭେମ୍ବର ୨୯କୁ ଘୁଞ୍ଚାଯାଇଛି। ପୋଲାଭରମ ମାମଲାର ନିଷ୍ପତ୍ତିକୁ ରାଜ୍ୟ ସରକାର ‌ଅପେକ୍ଷା କରିଥିବାବେଳେ ମାମଲାର ଶୁଣାଣି ଲଗାତାର ଘୁଞ୍ଚୁଥିବା ଯୋଗୁଁ ଓଡ଼ିଶା ଆଶଙ୍କାରେ ରହିଛି। ଓଡ଼ିଶା ଦ୍ବାରା ପୋଲାଭରମ ପ୍ରକଳ୍ପ ବିରୋଧରେ ଯେଉଁ ମୂଳ ମାମଲା ଦାଖଲ କରାଯାଇଛି ତା’ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ୧୩ଟି ପ୍ରସଙ୍ଗ ଧାର୍ଯ୍ୟ କରି ସାରିଥିବାବେଳେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ବାରା ପୋଲାଭରମ ପ୍ରକଳ୍ପ କାର୍ଯ୍ୟବନ୍ଦ ଆଦେଶକୁ ଲଗାତାର ସ୍ଥଗିତ ରଖାଯାଇ ଆନ୍ଧ୍ରପ୍ରଦେଶକୁ କାର୍ଯ୍ୟ ଅନୁମତି ଦେବା ନିଷ୍ପତ୍ତିକୁ ଓଡ଼ିଶା ଦ୍ବାରା ମଧ୍ୟବର୍ତ୍ତିକାଳୀନ ଆବେଦନ କରାଯାଇ ଚାଲେଂଜ କରାଯାଇଛି। ନଭେମ୍ବର ୨୯ରେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ସୁପ୍ରିମକୋର୍ଟ ଚୁଡ଼ାନ୍ତ ଶୁଣାଣି କରିବେ।

ସମ୍ବନ୍ଧିତ ଖବର